Below header

ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଛି, ୩ ହଜାର ପୃଷ୍ଠାର ଚାର୍ଜସିଟରେ ଲେଖିଛି ଭିଜିଲାନ୍ସ

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି।

କଟକ(କେନ୍ୟୁଜ୍): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ ଦାଖଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ଭିଜିଲାନ୍ସ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। ଚାର୍ଜସିଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ଉଲ୍ଲେଖ କରାଯାଇଛି । ଲୋକାୟୁକ୍ତଙ୍କ ଅନୁମତି କ୍ରମେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ ।

ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଚାର୍ଜସିଟ ଦାଖଲ କରାଯାଇଛି । ଲୋକାୟୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟରେ ଏହି ମାମଲା ପରିଚାଳନା କରାଯିବ । ଚାର୍ଜସିଟ ଦାଖଲ ପରେ ଅଭିଯୁକ୍ତମାନଙ୍କୁ ଭିଜିଲାନ୍ସ କୋର୍ଟ ପକ୍ଷରୁ ସମନ ଜାରି ହେବ । ଏହା ପରେ ମାମଲା ଆଗକୁ ବଢି ଅଦାଲତରେ ଶୁଣାଣି ଚାଲିବ । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହିତ ଛନ୍ଦି ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିଥିଲା । ତାଙ୍କୁ ଜନବିରୋଧୀ କାର୍ଯ୍ୟକ୍ରମ ପାଇଁ ବିଜେଡିରୁ ୨୦୨୦ ନଭେମ୍ବର ୨୯ ରେ ବହିଷ୍କୃତ କରାଯାଇଥିଲା ।

ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨୦୨୦ ଡିସେମ୍ବର ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନ୍‌ ପାଇଥିଲେ । ଲୋକାୟୁକ୍ତ ଆଇନ-୨୦୧୪ର ଅଧିନିୟମ ୨୦(୨)ରେ ତଦନ୍ତ କରାଯାଇ ଜଣାପଡିଥିଲା ଯେ ସେ ଜନସେବାରେ ଥାଇ ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି । ଭିଜିଲାନସ ପକ୍ଷରୁ ଗତ ୨୦୨୧ ମେ ୨୮ରେ ତଦନ୍ତ ଶେଷକରି ଲୋକାୟୁକ୍ତଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଥିଲା । ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରିବା ଏବଂ ଏ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଉତ୍ତର ପାଇ ସାରିବା ପରେ ଏହାର ତଦନ୍ତ କରିବା ସହିତ ଅନୁସନ୍ଧାନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ୨୦୨୧ ମସିହା ଅକ୍ଟୋବର ୪ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.