Below header

ଶିଶୁ ଭିକ୍ଷା ବୃତ୍ତି ବିରୋଧରେ ଆଶିଷ ଶର୍ମାଙ୍କ ଭାରତ ଭ୍ରମଣ, ପାଦରେ ଚାଲି ଚାଲି ସଚେତନ କରୁଛନ୍ତି

ଭୁବନେଶ୍ବର (କେନ୍ୟୁଜ୍) : ପାଦରେ ଚାଲି ଚାଲି ଭାରତ ବୁଲୁଛନ୍ତି । ଖାଲି ବୁଲିବା ପାଇଁ ନୁହେଁ ଏକ ମହତ ଉଦ୍ଦେଶ୍ୟରେ । ଦିଲ୍ଲୀର ଆଶିଷ ଶର୍ମା ଗତ ବର୍ଷରୁ ବାହାରିଛନ୍ତି ପଦଯାତ୍ରାରେ । ପ୍ରାୟ ୧୭ ହଜାର କିଲୋମିଟର ବୁଲି ସାରିଲେଣି । ଦେଶକୁ ଶିଶୁ ଭିକ୍ଷା ବୃତ୍ତି ମୁକ୍ତ କରିବା ଉଦ୍ଦେଶ୍ୟ ନେଇ ଆଶିଷ ଏହି ପଦଯାତ୍ରା କରୁଛନ୍ତି । ଆଜି ସେ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ଭେଟିଥିଲେ । ପରେ ପୋଲିସ୍ କମିଶନରେଟ୍ ଯାଇ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ।

ପେସାରେ ଜଣେ ମେକାନିକାଲ ଇଂଜିନିୟର ଥିଲେ ଆଶିଷ । ତେବେ ଗତ ବର୍ଷ ଜୁନ୍ ମାସରେ ସେ ବୃନ୍ଦାବନ ଯାଇଥିଲେ ବାଙ୍କେବିହାରୀଙ୍କ ଦର୍ଶନ ପାଇଁ । ସେଠାରେ କଣ ଏମିତି ମନରେ ପରିବର୍ତ୍ତନ ଆସିଲା ଯେ ସେ ଚାକିରି ଛାଡ଼ି ଏହି କାମରେ ଲାଗିଗଲେ । କାହିଁକି ତାଙ୍କ ଜୀବନରେ ଏଭଳି ଘଟିଲା ସେ ନିଜେ ବି ଜାଣି ପାରୁ ନାହାନ୍ତି ବୋଲି ଆଶିଷ କହିଛନ୍ତି । ଏହା ପରେ ୨୦୧୭ ଅଗଷ୍ଟ ୨୨ ତାରିଖରେ ସେ ବାହାରି ପଡ଼ିଲେ ପଦଯାତ୍ରାରେ ।

Ashish-3

ବିଭିନ୍ନ ରାଜ୍ୟ ବୁଲି ସେ ଶିଶୁ ଭିକ୍ଷା ବୃତ୍ତି ବିରୋଧରେ ଲୋକଙ୍କୁ ଏବଂ ପିଲାମାନଙ୍କୁ ସଚେତନ କରୁଛନ୍ତି । ଏହା ସହିତ ଭିକ୍ଷା ବୃତ୍ତି କରୁଥିବା ପିଲାମାନଙ୍କୁ ଦେଖିଲେ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରୁଛନ୍ତି । ଏମିତି ଅନେକ ପିଲାଙ୍କୁ ସେ ସ୍ଥାନୀୟ ସାମାଜିକ କର୍ମୀଙ୍କ ଜରିଆରେ ପାଠ ପଢ଼ିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

Ashish-2

ପିଲାମାନେ ରାସ୍ତା ଘାଟରେ ଏଭଳି ଭିକ ମାଗିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି  ୩୦ ବର୍ଷ ବୟସ୍କ ଆଶିଷ ଶର୍ମା । ହାତରେ ତ୍ରିରଙ୍ଗା ଧରି ଜାମ୍ମୁ କାଶ୍ମୀରରୁ ଆରମ୍ଭ କରି ହରିଆଣା, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଆସାମ, ସିକ୍କିମ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ଛତିଶଗଡ଼ ଆଦି ବିଭିନ୍ନ ରାଜ୍ୟ ବୁଲି ସାରିଲେଣି ଆଶିଷ । ୨୦୨୦ ପୂର୍ବରୁ ତାଙ୍କର ଏହା ଯାତ୍ରା ଏବଂ ଶିଶୁ ଭିକ୍ଷା ବୃତ୍ତି ନିରୋଧ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.