ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ: ଓଡ଼ିଶା ଉପକୂଳ ପାଇଁ ବଢୁଛି ବିପଦ, ଗୋପାଳପୁର-ପାରାଦୀପ-ଭଦ୍ରକ-ବାଲେଶ୍ୱରରେ ବୃଦ୍ଧି ପାଉଛି ଜଳସ୍ତର
ବୁଡିଯିବ ଓଡ଼ିଶା ଉପକୂଳ ! ବଙ୍ଗୋପସାଗର ଉପକୂଳରେ ବଢୁଛି ସମୁଦ୍ର ଜଳସ୍ତର । ଓଡ଼ିଶା ଉପକୂଳ ପାଇଁ ବଢୁଛି ବିପଦ ।
(କେନ୍ୟୁଜ): ବଢୁଛି ସମୁଦ୍ର ଜଳସ୍ତର । ଓଡ଼ିଶା ଉପକୂଳ ପାଇଁ ବଢୁଛି ବିପଦ । ସମୁଦ୍ର କାୟା ଭିତରେ ବୁଡିଯାଇପାରେ କୋଷ୍ଟାଲ୍ ଓଡ଼ିଶା । ବିଶ୍ୱ ପାଣିପାଗ ସଂସ୍ଥା ସମୁଦ୍ର ଜଳସ୍ତର ବୃଦ୍ଧି ନେଇ ସତର୍କବାଣୀ କରିବା ପରେ ବଢ଼ିଛି ଚିନ୍ତା । ୧୯୯୩ରୁ ୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିଲିମିଟର ବଢ଼ିଛି । ଏହି ସମୟରେ ଭାରତ ଉପକୂଳରେ ଗୋପାଳପୁର-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଉପକୂଳରେ ଗୁରୁତର ଭାବରେ ବୃଦ୍ଧି ପାଇଛି ଜଳସ୍ତର ।
ଗୋପାଳପୁର-ପୁରୀ ଉପକୂଳ ଜଳସ୍ତର ପ୍ରାୟ ୫ ମିଲିମିଟର ବୃଦ୍ଧି ହେଉଥିବା ବେଳେ ବାଲେଶ୍ୱର-ଭଦ୍ରକ ଉପକୂଳରେ ଏହା ୨-୩ ମିଲିମିଟର ବୃଦ୍ଧି ହୋଇଛି । ଆଗାମୀ ଦିନରେ ସମୁଦ୍ରର ଅବକ୍ଷୟ ଓ ଜଳସ୍ତର ବୃଦ୍ଧି ଓଡ଼ିଶା ଉପକୂଳ ପାଇଁ ବିପଦ ଆଣିପାରେ । ଫଳରେ ଉପକୂଳରେ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ବଡ଼ ବିପଦ ଆଣିପାରେ ସମୁଦ୍ରର ବର୍ଦ୍ଧିତ ଜଳସ୍ତର । ବିଶ୍ୱ ପାଣିପାଗ ସଂସ୍ଥା ପକ୍ଷରୁ ପ୍ରକାଶିତ ବିଶ୍ୱ ଜଳ ପତ୍ତନ ବୃଦ୍ଧି ଓ ପ୍ରଭାବ ସମ୍ପର୍କିତ ରିପୋର୍ଟ ପରେ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକ ପ୍ରତି ବିପଦ ବଢ଼ିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟର୍କଟିକାରେ ବରଫ ଖଣ୍ଡ ତରଳିବାରେ ଲାଗିଛି । ଏହା ସମୁଦ୍ର ଜଳସ୍ତର ବୃଦ୍ଧି କରାଇବାରେ ବଡ଼ କାରଣ ।