ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ପରେ କମିଛି ଶୀତ, ଉପରମୁହାଁ ରହୁଛି ପାରଦ

କେନ୍ୟୁଜ୍(ବ୍ୟୁରୋ):  ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଉପରମୁହାଁ ପାରଦ। କମୁଛି ଶୀତଲହରୀ। ରାଜ୍ୟରେ ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ପରେ କମିଛି ଶୀତ। ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଛି। ସମତଳ ଅଞ୍ଚଳରେ ଶୀତ ସ୍ୱାଭାବିକ ଅନୁଭୂତ ହେଉଥିବା ବେଳେ ପାର୍ବତ୍ୟାଞ୍ଚଳରେ କିନ୍ତୁ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରାରେ ୪.୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ୨.୨ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି। ଆଗାମୀ ୨ଦିନ ଯାଏ ରାଜ୍ୟର ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ସାମାନ୍ୟରୁ ଘନ କୁହୁ଼ଡି ଦେଖାଯିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟର ପୂର୍ବକୁ ଗତି କରୁଥିବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍‌ସ ପ୍ରଭାବରେ ଶୁଷ୍କ ବାୟୁୁ ଏବଂ ସମୁଦ୍ର ମଧ୍ୟରୁ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବାକୁ ଥିବାରୁ ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ପ୍ରଭାବରେ ୨୭ ତାରିଖରେ ରାଜ୍ୟର ତିନିଟି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ୨୮ରେ ୧୨ଟି ଜିଲ୍ଲାରେ ଓ ୨୯ରେ ୮ଟି ଜିଲ୍ଲାରେ ସାମାନ୍ୟ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୪ରୁ ୫ଦିନ ମଧ୍ୟରେ ରାତିରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଶୀତର ପ୍ରକୋପ ସାମାନ୍ୟ କମିଥିବାରୁ ସକାଳୁ ସକାଳୁ ପାର୍କରେ ଜମୁଛି ଲୋକ। ହାଲୁକା ଶୀତ ସାଙ୍ଗକୁ ବ୍ୟାୟାମ କରି ମଜା ଉଠାଉଥିବା ଦେଖିବାକୁ ମିଳିଛ ।

 

ରାଜ୍ୟରେ ଉପରମୁହାଁ ପାରଦ। ଶୀତରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ପରେ ଶୀତ କମିଛି। ସେପଟେ କିନ୍ତୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍‌ସ ପ୍ରଭାବରେ ସମୁଦ୍ରରୁ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ୨୭ ତାରିଖରୁ ୩ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.