Below header

ଆଜି ବିଶ୍ୱ ଛେନାପୋଡ଼ ଦିବସ: ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରୟାସ

କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଥିପାଇଁ ଦିନ ୧୧ ଟାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ କଟାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ।

ନୟାଗଡ଼ର ଛେନାପୋଡ଼ ଶ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧କୁ ପାଳନ ଅବସରରେ ଛେନାପୋଡ଼ ଦିବସ ପାଳନ ହେଉଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଲାଇନ୍ ବିଭାଗର ଅଧିକାରୀ, ତହସିଲଦାର ଏବଂ ବିଡିଓ ଏନଏସି ଏବଂ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ବିଭାଗ ପରି କାର୍ଯ୍ୟାଳୟରେ ଛେନା ପୋଡ କାଟି ଏହି ଉତ୍ସବକୁ ପାଳନ କରାଯିବା ନେଇ ସୂଚନା ରହିଛି ।

ଭୁବନେଶ୍ବର ଜୟଦେବଭବନ ଠାରେ ଛେନାପୋଡ଼ ଦିବସ ଆଜି ଧୂମଧାମରେ ପାଳିତ ହେବ । ଏନେଇ ନୟାଗଡ ବିକାଶ ମଞ୍ଚ ସୂଚନା ଦେଇଛି । ତେବେ ରାଜ୍ୟ ତମାମ ଏହି ଦିବସକୁ ପାଳନ କରିବା ପାଇଁ ମଞ୍ଚ ପକ୍ଷରୁ ପ୍ରୟାସ କରାଯାଇଛି । ଭୁବନେଶ୍ବରରେ ଛେନାପୋଡ଼ ଦିବସ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମଞ୍ଚ । ତେବେ ନୟାଗଡ ବିକାଶ ମଞ୍ଚ କହିଛି, ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି । ଭୁବନେଶ୍ବରରେ ପାଳନ ହେବାକୁ ଥିବା ଏହି ମହାସମାରୋହରେ ଛେନାପୋଡ଼ ସଙ୍ଗୀତର ଲୋକାର୍ପଣ ହେବ । ନୟାଗଡ ଓଡିଶା ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ଏହି ଗୀତ ଲେଖିଥୁବା ବେଳେ ଛେନାପୋଡ଼ ଦିବସର ଅଧ୍ୟକ୍ଷତା କରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନୟାଗଡ ବିଧାୟକ ଅରୁଣ ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ବରିଷ୍ଠ କଣ୍ଠଶିଳ୍ପୀ ତାନସେନ ସିଂ ଓ ସମାଜସେବୀ ପଦ୍ମଶ୍ରୀ ସାବରମତୀ ଅତିଥି ଭାବେ ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.