ଭାରତର କୋଣ ଅନୁକୋଣରେ ରହିଛି ଅନେକ ଦେବଦେବୀଙ୍କ ମନ୍ଦିର। ସବୁ ମନ୍ଦିରର କିଛି ନା କିଛି ରହସ୍ୟ ଲୁଚି ରହିଛି, ଯେଉଁ କାରଣରୁ ତାହା ବିଶ୍ୱ ପ୍ରସିଦ୍ଧ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ସ୍ୱତନ୍ତ୍ର ଅଟେ। ଏହି ମନ୍ଦିରଟି ନିରାଇ ମାତାଙ୍କ ମନ୍ଦିର। ଛତିଶଗଡ଼ର ଗରିଆବନ୍ଧ ଜିଲା ମୁଖ୍ୟାଳୟଠାରୁ ୧୨ କିଲୋମିଟର ଦୂର ଏକ ପାହାଡ଼ ଉପରେ ମନ୍ଦିର ଅବସ୍ଥିତ। ମନ୍ଦିରରେ ବିରାଜମାନ ମା’ ନିରାଇ ମାତା ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜନ୍ତି।
ନିରାଇ ମା’ଙ୍କଠାରେ ସିନ୍ଦୂର, ସୁହାଗ, ଶୃଙ୍ଗାର, କୁମ୍କୁମ୍, ଗୁଲାଲ, ଚନ୍ଦନ ଆଦି ଚଢ଼ାଯାଇ ନ ଥାଏ। କେବଳ ନଡ଼ିଆ ଏବଂ ଅଗରବତୀରେ ମା’ ପୂଜା ପାଇଥାଆନ୍ତି। ଦେଶରେ ଅନ୍ୟ ମନ୍ଦିରରେ ଯେଉଁଠି ସାରା ଦିନ ମାତାରାଣୀଙ୍କ ଦର୍ଶନ ହୋଇଥାଏ, ଏଠି ଭୋର୍ ୪ଟାରୁ ସକାଳ ୯ଟା ଯାଏ କେବଳ ୫ ଘଣ୍ଟା ପାଇଁ ମା’ଙ୍କୁ ଦର୍ଶନ କରାଯାଇଥାଏ। କେବଳ ୫ ଘଣ୍ଟା ପାଇଁ ଖୋଲୁଥିବା ଏହି ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି।
ଏହାସହ ପଢ଼ନ୍ତୁ: ତଣ୍ଟି କଣା କରି ଜିଅନ୍ତା ପଶୁର ରକ୍ତ ପିଅନ୍ତିି ଏହି ଜନଜାତି, ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ
ଏହି ଦେବୀ ମନ୍ଦିରର ସ୍ୱତନ୍ତ୍ରତା ହେଉଛି, ଏଠାରେ ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ରି ସମୟରେ ସ୍ୱତଃ ଜ୍ୟୋତି ପ୍ରଜ୍ଜ୍ୱଳିତ ହୋଇଥାଏ। ଏହି ଦିବ୍ୟ ଚମତ୍କାରିତା ଯୋଗୁ ଦେବୀଙ୍କ ପ୍ରତି ଲୋକେ ଅପାର ଶ୍ରଦ୍ଧା ରଖିଥାଆନ୍ତି। ତେବେ ଜ୍ୟୋତି କିପରି ପ୍ରଜ୍ଜ୍ୱଳିତ ହୁଏ, ତାହା ଆଜି ପଯ୍ୟର୍ନ୍ତ ରହସ୍ୟ ହୋଇ ରହିଛି। ଗ୍ରାମବାସୀଙ୍କ କହିବା ହେଲା, ଏହା ହେଉଛି ନିରାଇ ଦେବୀଙ୍କ ଚମତ୍କାରିତା। ବିନା ତେଲରେ ଜ୍ୟୋତି ୯ ଦିନ ପଯ୍ୟର୍ନ୍ତ ଜଳିଥାଏ।
ପ୍ରକୃତରେ ପାହାଡ଼ରେ ମା’ ନିରାଇଙ୍କର କୌଣସି ପ୍ରତିମା ନାହିଁ। ତଥାପି ଲୋକେ ବିଶ୍ୱାସର ସହ ମା’ଙ୍କ ପୂଜାର୍ଚ୍ଚନା କରିଥାଆନ୍ତି। ଏହା ପଛରେ ୨୦୦ ବର୍ଷର ପୁରୁଣା ମାନ୍ୟତା ରହିଛି। ଆଜକୁ ୨୦୦ ବର୍ଷ ପୂର୍ବେ ମୋହେରା ଗ୍ରାମର ମାଲଗୁଜାର ଜୟରାମ ଗିରି ଗୋସ୍ୱାମୀ ନିରାଇ ମା’ଙ୍କ ପୂଜା କରିବା ପାଇଁ ବହୁରସିଂଗ ଧ୍ରୁବଙ୍କ ପୂର୍ବଜଙ୍କୁ ୬ ଏକର ଜମି ଦାନ ଦେଇଥିଲେ। ଜମିରେ କୃଷି କାଯ୍ୟର୍ରୁ ହେଉଥିବା ଆୟରୁ ମା’ଙ୍କ ପୂଜା କରାଯାଉଥିଲା।
ଏହାସହ ପଢ଼ନ୍ତୁ: ରହସ୍ୟମୟ ଓଭରଟନ୍ ବ୍ରିଜ୍, ଯେଉଁଠୁ କୁଦି ହଜାର ହଜାର କୁକୁର କରିସାରିଲେଣି ଆତ୍ମହତ୍ୟା!
ନିରାଇ ମା’ଙ୍କଠାରେ ଚୈତ୍ର ନବରାତ୍ରିର ପ୍ରଥମ ସପ୍ତାହ ରବିବାର ଯାତ୍ରା ଆୟୋଜନ ହୋଇଥାଏ। ଯାତ୍ରା ଦିନ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାଆନ୍ତି। ମା’ଙ୍କୁ ପବିତ୍ର ମନରେ ଦର୍ଶନ କରିଥାଆନ୍ତି। ଯେଉଁ ବ୍ୟକ୍ତି ମଦ ସେବନ କରି ଆସନ୍ତି, ସେମାନଙ୍କ ଉପରେ ମହୁମାଛିଙ୍କ କୋପଦୃଷ୍ଟି ପଡ଼ିଥାଏ ବୋଲି ଲୋକବିଶ୍ୱାସ ରହିଛି। ବର୍ଷର ଏହି ଗୋଟିଏ ଦିନ ମା’ଙ୍କ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଥାଏ। ବାକି ଦିନରେ ଏଠାକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଏଠାରେ କାହିଁ କେଉଁ କାଳରୁ ଏକ ପରମ୍ପରା ଚାଲିଆସୁଛି। ଯାତ୍ରା ସମୟରେ ଏଠାରେ ହଜାର ହଜାର ଛେଳିଙ୍କୁ ବଳି ଦିଆଯାଏ। ମାନ୍ୟତା ରହିଛି, ବଳି ଚଢ଼ାଇବାରେ ଦେବୀ ମା’ ପ୍ରସନ୍ନ ହୋଇ ସମସ୍ତଙ୍କ ମନସ୍କାମନା ପୂରଣ କରିଦିଅନ୍ତି। ଶୁଣିବାକୁ ମିଳେ, ଯେଉଁ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ ହୋଇଥାଏ, ସେ ଏଠାକୁ ଆସି ମା’ଙ୍କ ପାଖରେ ବଳି ଚଢ଼ାଏ। ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ। ଏପରି କି, ଏଠାରେ ପ୍ରସାଦ ଖାଇବା ମଧ୍ୟ ବାର୍ଜିତ ଅଟେ। କୁହାଯାଏ, ପ୍ରସାଦ ଖାଇଲେ କିଛି ନା କିଛି ଅଶୁଭ ହୋଇଥାଏ। ଯାତ୍ରାରେ ଗାଁର ପୁରୋହିତ ପୂଜାପାଠ କରିଥାଆନ୍ତି।