ଝିଅମାନେ ଅଣ୍ଡିରାଚଣ୍ଡୀ ହେବା ପଛରେ ରହିଛି କି କାରଣ? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ମହିଳାଙ୍କ ଶରୀରରେ ଅଧିକ ମାତ୍ରାରେ ପୁରୁଷ ହରମୋନ୍‌ କ୍ଷରଣ ହେବାକୁ ହାଇପର ଏଣ୍ଡ୍ରୋଜେନିଜମ୍‌ କୁହାଯାଏ। ଏହି ସମସ୍ୟା ଦେଖାଯାଉଥିବା ମହିଳାଙ୍କଠାରେ କେଶ ଝଡ଼ିବା, ମୁହଁରେ ବ୍ରଣ, ତ୍ୱଚାରେ କୁଣ୍ଡିଆ, ମୁହଁରେ ଚୁଟି ବଢ଼ିବା ଓ ମାସିକ ଧର୍ମରେ ଅନିୟମିତତା ଭଳି ସମସ୍ୟା ଦେଖାଯାଏ। ଏଥିସହ ଶରୀରରେ କୋଲୋଷ୍ଟ୍ରୋଲର ମାତ୍ରା ମଧ୍ୟ ବୃଦ୍ଧିପାଏ।

ହାଇପରଏଣ୍ଡ୍ରୋଜେନିଜମ୍‌ର ମୁଖ୍ୟ କାରଣ ହେଉଛି ମହିଳାଙ୍କ ଶରୀରରେ ପିସିଓଏସ୍‌ ସମସ୍ୟା। ପଲିସିଷ୍ଟିକ୍‌ ଓଭାରୀ ସିଣ୍ଡ୍ରୋମ୍‌ ବା PCOS ଯୋଗୁ ୭୦ ପ୍ରତିଶତ ମହିଳାଙ୍କ ଶରୀରରେ ପୁରୁଷ ହରମୋନ୍‌ର ପରିମାଣ ବୃଦ୍ଧିପାଏ। ଏହା ବ୍ୟତୀତ ଆଡ୍ରୋନାଲ ହାଇପରପାଲାସିଆ, ବିଭିନ୍ନ ପ୍ରକାରର କ୍ୟାନସର କିମ୍ବା ଔଷଧର ପ୍ରଭାବ ଯୋଗୁ ମଧ୍ୟ ମହିଳାଙ୍କ ଠାରେ ଏହି ସମସ୍ୟା ଦେଖାଦିଏ।

ହାଇପର ଏଣ୍ଡ୍ରୋଜେନିଜମ୍‌ ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଭାବିତ କରିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ। କାରଣ ଏହି ହରମୋନ୍‌ ପୁରୁଷଙ୍କ ଶରୀରରେ ପୁରୁଷ ହରମୋନ୍‌କୁ ବଢ଼ାଉଥିବା ବେଳେ ମହିଳାଙ୍କ ଶରୀରରେ ମଧ୍ୟ ପୁରୁଷ ହରମୋନ୍‌ର ପରିମାଣକୁ ବୃଦ୍ଧି କରେ। ଫଳରେ ଗର୍ଭଧାରଣରେ ସମସ୍ୟା ଉପୁଜେ। ଖାସ୍‌ କରି କିଶୋର ଅବସ୍ଥାରେ ଯୁବତୀଙ୍କ ଠାରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଯାଏ।

ଲକ୍ଷଣ:

  • ଏହି ସମସ୍ୟା ଦେଖାଯାଉଥିବା ମହିଳାମାନେ ପୁରୁଷଙ୍କ ଭଳି ବ୍ୟବହାର କରିଥାନ୍ତି। ଯାହାକୁ ଅଣ୍ଡିରାଚଣ୍ଡୀ ମଧ୍ୟ କୁହାଯାଏ।
  • ଏହି ସମସ୍ୟା ଥିବା ଝିଅମାନଙ୍କ ଶରୀର ମଧ୍ୟ ପୁରୁଷଙ୍କ ଭଳି ଶକ୍ତ ହୋଇଥାଏ।
  • ଏମାନଙ୍କ ମୁହଁରେ ନିଶ ଦାଢ଼ି ଉଠିଥାଏ। ଶରୀରରେ ମଧ୍ୟ ବଡ଼ ବଡ଼ ରୁମ ଉଠିଥାଏ।

  • ଏହି ସମସ୍ୟା ଥିବା ଯୁବତୀଙ୍କର ମାସିକ ଧର୍ମରେ ଅନିୟମିତତା ଦେଖାଯାଏ।
  • ହାଇପରଏଣ୍ଡ୍ରୋଜେନିଜମ୍‌ ଥିବା ଯୁବତୀଙ୍କଠାରେ ମେଦ ବହୁଳତା ଦେଖାଯାଏ।
  • ଏହି ରୋଗ ଥିବା ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ହୋଇଥାଏ।
  • ଏମାନଙ୍କ କଣ୍ଠ ସ୍ୱର ମଧ୍ୟ ପୁରୁଷଙ୍କ ଭଳି କର୍କଶ ହୋଇଥାଏ।
  • ଏଭଳି ସମସ୍ୟା ଥିବା ଯୁବତୀଙ୍କ ଯୌନ ସମ୍ପର୍କ ରଖିବା ଇଚ୍ଛା ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ।
  • ଏମାନଙ୍କଠାରେ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ ଥାଏ।

ଉପଚାର

ଏଭଳି ସମସ୍ୟା ଥିବା ଯୁବତୀ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏହି ରୋଗୀଙ୍କୁ ଡାକ୍ତର ଆଣ୍ଟି ଆଣ୍ଡ୍ରୋଜେନ୍‌ ଇଞ୍ଜେନସନ୍‌ ବା ମେଡିସିନ୍‌ ଦେଇଥାନ୍ତି। ଫଳରେ ଶରୀରରେ ପୁରୁଷ ହରମୋନ୍‌ର ପରିମାଣ ହ୍ରାସ ପାଏ ଓ ଧୀରେ ଧୀରେ ଝିଅଟି ଯୁବତୀ ସୁଲଭ ଆଚରଣ କରେ। ସିଏଏଚ୍‌ ଓ ପିସିଓଏସ୍‌ ସମସ୍ୟାର ଉପଚାର କରାଗଲେ ଧୀରେ ଧୀରେ ମାସିକ ଧର୍ମରେ ଅନିୟମିତତା ଓ ଗର୍ଭଧାରଣ ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। ଏଥିସହ ମୁହଁ ଓ ଦେହର ଅନାବଶ୍ୟକ ବାଳ ସଫା କରିବା ପାଇଁ ଡାକ୍ତରମାନେ ଲେଜର ଲାଇଟ୍‌ ଚିକିତ୍ସା କରିଥାନ୍ତି।

ଖେଳକୁଦ କରୁଥିବା ଯୁବତୀଙ୍କୁ ଫିଟ୍‌ ଓ ଆକ୍ଟିଭ୍‌ ରଖିବା ପାଇଁ ସେମାନଙ୍କ ଶରୀରରେ ଏହି ହରମୋନ୍‌ର ମାତ୍ରାକୁ ବୃଦ୍ଧି କରାଯାଇଥାଏ। ଫଳସ୍ୱରୂପ ସେମାନଙ୍କ ସହନ ଶକ୍ତି ବୃଦ୍ଧି ପାଏ ଓ ସେମାନେ ଅଧିକ ସମୟ ଧରି ଶାରୀରିକ ବ୍ୟାୟାମ ଆଦି କରିପାରିଥାନ୍ତି।

Leave A Reply

Your email address will not be published.