କେନ୍ୟୁଜ୍(ବ୍ୟୁରୋ): ସଂସଦରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍ ୨୦୧୯। ପୂର୍ବରୁ ଲୋକସଭାରେ ଗୃହୀତ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ବିଲ୍ ସମର୍ଥନରେ ୧୨୫ ଭୋଟ୍ ପଡିଥିଲା। ବିରୋଧରେ ପଡିଥିଲା ୧୦୫ ଭୋଟ୍। ଭୋଟିଂରୁ ବିରତ ରହିଥିଲା ଶିବସେନା। ବିଲ୍କୁ ସମର୍ଥନ କରିଥିଲା ବିଜେଡି। ରାଜ୍ୟସଭାରେ ବିଲ୍ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ବୋଲି କହିଥିଲେ । ସେ କହିଛନ୍ତି, ବିଲ୍ ଆଇନରେ ପରିଣତ ହେଲେ ଦେଶର କୋଟି କୋଟି ଲୋକ ଉପକୃତ ହେବେ । ବିଲରେ ଥିବା ପ୍ରାବଧାନ ଅନୁସାରେ ବହୁ ଶରଣାର୍ଥୀ ପ୍ରତାଡିତ ହେବାରୁ ମୁକ୍ତି ପାଇବେ।
ତେବେ ମୁସଲିମ ସଂପ୍ରଦାୟଙ୍କୁ ଏନେଇ ବ୍ୟସ୍ତ ହେବାର ନାହିଁ ବୋଲି ଅମିତ ଶାହା କହିଛନ୍ତି। ସେମାନେ ଭାରତର ନାଗରିକ ଥିଲେ ଓ ରହିବେ। ବିଲ୍କୁ ସମର୍ଥନ ଦେଇଛନ୍ତି ଜେଡିୟୁ, ଏଆଇଏଡିଏମ୍କେ, ଓ୍ଵାଇଏସ୍ଆର୍ କଂଗ୍ରେସ, ଏନ୍ପିଏଫ୍, ବିପିଏଫ୍ ଆଦି ଦଳ। ବିଜେଡି ବିଲ୍କୁ ସମର୍ଥନ କରିବା ସହ ସରକାରଙ୍କୁ ତିନିଟି ପରାମର୍ଶ ଦେଇଥିଲା। ଶ୍ରୀଲଙ୍କାକୁ ବିଲ୍ରେ ଅନ୍ତର୍ଭୁକ୍ତ କରାଯାଉ। ନାଗରିକତା ସଂଶୋଧନ ବିଲ୍କୁ NRC ସହ ଯୋଡାନଯାଉ। ବିଲ୍ ଯୋଗୁ ମୁସଲମାନମାନଙ୍କ ମଧ୍ୟରେ ଦେଖାଦେଇଥିବା ସନ୍ଦେହକୁ ଦୂର କରାଯାଉ। ଡିବେଟରେ ଭାଗ ନେଇ ଏକଥା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।
ବିଲ୍କୁ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଆର୍ଏସ୍, ଡିଏମ୍କେ, ବାମଦଳ ଜୋରଦାର ବିରୋଧ କରିଛନ୍ତି। କିଛି ବିରୋଧୀ ଦଳ ଏହାକୁ ମୁସଲିମ ବିରୋଧୀ କହୁଥିବା ବେଳେ ସଂଶୋଧିତ ବିଲକୁ ଫେରାଇ ନେବାକୁ ଦାବି କରିଛନ୍ତି। ଆଉ କିଛି ବିରୋଧୀ ବିଲକୁ ପାର୍ଲାମେଣ୍ଟର ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଦାବି ରଖିଛନ୍ତି, ଯାହା ଖାରଜ ହୋଇଛି।