ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୭୧ତମ ସାଧାରଣତନ୍ତ୍ର ଦିବସ। ସମ୍ବଲପୁର କଚେରୀ ଛକ ଓ ଜେଲ ଛକ ମଧ୍ୟରେ ଥିବା ରାଜପଥରେ ମହାସମାରୋହରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।
ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ପାଳତି ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ୩୮ଟି ଦଳ ପରେଡ୍ରେ ଅଂଶଗ୍ରହଣ କରିଥିଲେ। ବଲାଙ୍ଗିର ମନୋହରପୁର ପୋଲିସ ପଡିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।
କେନ୍ଦୁଝର ଷ୍ଟାଡିୟମରେ ଶାନ୍ତିଶୃଙ୍ଖଳା ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ପରେଡରେ ୪୬ଟି ଦଳ ଅଂଶଗ୍ରହଣ କରିଥିଲେ। ସୁନ୍ଦରଗଡ଼ରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।