ରାଜ୍ୟରେ କାଳବୈଶାଖୀକୁ ନେଇ ୧୨ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି, ସେପଟେ ୪୨ ଡିଗ୍ରୀ ପାର କଲା ଟିଟିଲାଗଡ଼ର ତାପମାତ୍ରା

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ କାଳବୈଶାଖୀକୁ ନେଇ ୧୨ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ଜନିତ ବର୍ଷା ଫଳରେ ରାଜ୍ୟରେ ଗତ ପ୍ରାୟ ସପ୍ତାହେ କାଳ ଧରି ଜାରି ଥିବା ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। କିନ୍ତୁ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ସୋନପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବାର କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଏହା ସହିତ ରାଜ୍ୟର ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ଏହି ୧୨ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପ୍ରକାଶ ଥାଉକି, ଗତ କିଛି ଦିନ ହେବ ପ୍ରବଳ ଗରମ ଏବଂ ପ୍ରବଳ ଉତ୍ତାପ ତରଙ୍ଗ ଅବସ୍ଥାରେ ରାଜ୍ୟକୁ ଘେରି ରହିଛି। ରାଜ୍ୟରେ ଅତି କମରେ ସାତଟି ସ୍ଥାନ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ ହୋଇଛି।  ବାଲାଙ୍ଗୀର ଏବଂ ଟିଟିଲାଗଡ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇ ରହିଥିଲା ​​ଯେଉଁଠାରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Leave A Reply

Your email address will not be published.