ପୁଲ୍‌ଓ୍ଵାମାରୁ ମିଳିଲା ବାରୁଦ ଭରା କାର୍‌ ର ପୁରା କାହାଣୀ, ଜୈସ୍‌ ଏ ମହମ୍ମଦ ରଚିଥିଲା ଆତଙ୍କୀ ହମ୍‌ଲା ଯୋଜନା

ନୂଆଦିଲ୍ଲୀ : ପୁଲ୍‌ଓ୍ଵାମା ଜିଲ୍ଲାରେ ପୁଣି ଥରେ ଜୈସ୍‌ ଏ ମହମ୍ମଦ ରଚି ଥିବା ଆତଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ଭାରତର ସୁରକ୍ଷାବଳର ଯବାନମାନେ । ରାଜପୋରା ଇଲାକର ଆୟଗୁଣ୍ଡ ଠାରେ ଉକ୍ତ ବିସ୍ଫୋରକ(ଆଇଇଡି ) ଭରା କାର୍‌କୁ ନିଷ୍କ୍ରିୟ କରାଯାଇଛି ।

ଆତଙ୍କବାଦୀ ଏହି କାରରେ ୪୫ କିଲୋଗ୍ରାମର ଆଇଇଡି ବିସ୍ଫୋରକକୁ ଭରି ଏକ ବଡ଼ ଧରଣର ହମ୍‌ଲା କରିବାକୁ ଷଡ଼ଯନ୍ତ୍ର କରିଥିଲେ । କାର୍‌ରେ ଏକ ନକଲି ନମ୍ବର ପ୍ଲେଟ୍‌ ଲଗାଇ ଥିଲେ । ଯାହାକି ଏକ ବାଇକ୍‌ର ନମ୍ବର ପ୍ଲେଟ ଥିବା ଜଣାଯାଇଛି ।

pulwama-21JPG

ନମ୍ବର ପ୍ଲେଟ୍‌ଟି କାଠୁଆ ଜିଲ୍ଲାର ସାହିଲ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଗ୍ଲାମର ବାଇକ୍‌ ନାମରେ ରେଜେଷ୍ଟ୍ରି ହୋଇଥିବା ଜଣାଯାଇଛି । କାର୍‌ଟିକୁ ଏକ ଜଙ୍ଗଲ ଭିତରକୁ ନେଇ ନିଷ୍କ୍ରିୟ କରାଯାଇଥିବା ଜଣାଯାଇଛି । ଏହି ମାମଲାର ତଦନ୍ତ ଏନ୍‌ଆଇଏ କୁ ଦିଆଯାଇଛି ।

ଏପରି ଅଘଟଣ ସମ୍ପର୍କରେ ଗୁଇନ୍ଦା ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା । ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ଓ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ମିଳିତ ଭାବେ କାର୍‌ ଯୋଗେ ଏକ ବଡ଼ ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି ବୋଲି ।

pulwama-20

ଏଥିପାଇଁ ବୁଧବାର ସନ୍ଧ୍ୟାରୁ ପୁଲ୍‌ଓ୍ଵାମା ପୁଲିସ୍‌ ଓ ସିଆର୍‌ପିଏଫ୍‌ ଯବାନମାନେ ଅଲର୍ଟ ଥିଲେ ବୋଲି କାଶ୍ୱୀର ରେଞ୍ଜ୍‌ ଆଇଆଇଜି ବିଜୟ କୁମାର ପ୍ରକାଶ କରିଛନ୍ତି । ଏହି ସମୟରେ ଏକ କାର୍‌ ନାକେ ପାଖରେ ପହଞ୍ଚିବାରୁ ସୂରକ୍ଷା ବଳମାନେ ଏହାକୁ ଅଟକାଇ ଥିଲେ ।

କାର୍‌ରେ ଥିବା ଆତଙ୍କୀମାନେ ଚମ୍ପଟ ମାରିବାକୁ ଚେଷ୍ଟା କରିବା ସହ କାର୍‌ ଭିତରୁ ଗୁଳି ଚଳାଇଥିଲେ । ସୁରକ୍ଷା ବଳ ଏହାର ପିଛା କରିଥିଲେ ମଧ୍ୟ ରାତିର ସୁଯୋଗ ନେଇ ସେମାନେ ଖସି ଯାଇଥିଲେ । ଉକ୍ତ ଅଞ୍ଚଳକୁ ସିଲ୍‌ କରାଯିବା ସହ ସକାଳେ କାର୍‌ଟିକୁ ନିଷ୍କ୍ରିୟ କରାଯାଇଥିଲା ।

pulwama-22JPG

ଏହି ହମ୍‌ଲାକୁ ହିଜବୁଲ୍‌ ର ଆତଙ୍କୀ ଆଦିଲ୍‌ ସହ ଜୈସ୍‌ର ଦୁଇ ଆତଙ୍କୀ ସଫଳ କରିବାକୁ ଚାହୁଁଥିଲେ । ଆତଙ୍କୀମାନେ ସୁରକ୍ଷା ବଳଙ୍କ ଗାଡ଼ିକୁ ଟାର୍ଗେଟ କରି ଏହି ଯୋଜନା କରିଥିଲେ । ସୂଚନାନୁଯାୟୀ ସିଆର୍‌ପିଏଫ୍‌ ର ପ୍ରାୟ ୪୦୦ ଯବାନ୍‌ ୨୦ ଟି ଗାଡ଼ିରେ ଶ୍ରୀନଗରରୁ ଜମ୍ମୁ ଯିବାର ଥିଲା ।

ଏହାକୁ ଦୃଷ୍ଟିରେ ରଖି ଆତଙ୍କବାଦୀ ଏହି ଆକ୍ରମଣ ଯୋଜନା କରିଥିଲେ । ହେଲେ ଭାରତର ଗୁଇନ୍ଦା ବିଭାଗ ଓ ସୁରକ୍ଷା ବଳ ଏହି ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଥିଲେ । ପ୍ରକାଶଯୋଗ୍ୟ ଯେ କିଛି ମାସ ତଳେ ପୁଲଓ୍ଵାମାରେ ସୁରକ୍ଷା ବଳଙ୍କ ଗାଡ଼ି ଉପରେ ଏଭଳି ଏକ ଆକ୍ରମଣ ହୋଇଥିଲା । ଯେଉଁଥିରେ ୪୦ ଜଣ ସୁରକ୍ଷା ବଳଙ୍କ ପ୍ରାଣ ହାନୀ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.