Below header

‘ଟିକ୍‌ଟକ୍‌’ ଅଶ୍ଳୀଳତା ବଢ଼ାଉଛି, ସମାଜ ଉପରେ ଖରାପ ପ୍ରଭାବ ପକାଉଛି : ଓଡ଼ିଶା ହାଇକୋର୍ଟ

କଟକ (କେ ନ୍ୟୁଜ୍‌) : ଟିକ୍‌ଟକ୍ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଛି । ସଂସ୍କୃତିର ଅବକ୍ଷୟ କରୁଛି । ସମାଜ ଉପରେ କୁ ପ୍ରଭାବ ପକାଉଛି । ତେଣୁ ଏହାକୁ ନିୟନ୍ତ୍ରଣକୁ ଅଣାଯିବା ଦରକାର । ଏକଥା ଆଜି କହିଛନ୍ତି ଓଡ଼ିଶା ହାଇକୋର୍ଟ ।
ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଟିକ୍‌ଟକ୍ ଯୋଗୁଁ କିଭଳି ଭାବେ ଜଣେ ମହିଳା ବିନା ଦୋଷରେ ଦଣ୍ଡ ଭୋଗୁଥିଲେ ସେ କଥା କୋର୍ଟ ସ୍ପଷ୍ଟ କରିଛନ୍ତି । ଦେଶରେ ଆଇଟି ଆଇନ୍ ବର୍ତ୍ତମାନର ସ୍ଥିତିକୁ ନିୟନ୍ତ୍ରଣ କରି ପାରି ନାହିଁ । ତେଣୁ ସାଇବର କ୍ରାଇମ୍‌ର ତଦନ୍ତ କରୁଥିବା ଅଧିକାରୀମାନେ ଏ ଦିଗରେ ଅଧିକ ଦକ୍ଷ ଓ କୁଶଳୀ ହୋଇ କାମ କରିବା ଦରକାର ଏବଂ ଟିକ୍‌ଟକ୍‌କୁ ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।

ଟିକ୍‌ଟକ୍ ଯୋଗୁଁ ଜେଲ୍‌ରେ ସଢୁଥିଲେ ମହିଳା

ସୂଚନା ଅନୁସାରେ ସମ୍ବଲପୁରର ଜଣେ ମହିଳା ନିଜ ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା ଦୋଷରେ ପ୍ରାୟ ବର୍ଷେ ହେଲା ଜେଲ୍‌ରେ ଅଛନ୍ତି । ତାଙ୍କ ବିରୋଧରେ ୩୦୬ ଦଫା ଲାଗିଛି । ଆଉ ଏଥିପାଇଁ ଟିକ୍‌ଟିକ୍ ହିଁ ଦାୟୀ । କାରଣ ସଂପୃକ୍ତ ମହିଳାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିଲା । ଉପେନ୍ଦ୍ର ନାମକ ସେହି ବ୍ୟକ୍ତି ମହିଳାଙ୍କ ସହ ଅଶ୍ଳୀଳ ସମ୍ପର୍କର ଭିଡିଓ କରିଥିଲେ। ବାହାଘର ପରେ ତାକୁ ଟିକ୍‌ଟିକ୍ କରି ଛାଡ଼ି ଦେଇଥିଲେ । ଏହି ଟିକ୍‌ଟିକ୍‌କୁ ଦେଖି ମହିଳାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିଲେ । ଗତ ବର୍ଷ ଫେବ୍ରୁଆରୀ ୨୧ରେ ମହିଳାଙ୍କର ବାହାଘର ହୋଇଥିଲା ଏବଂ ଜୁଲାଇ ୧୩ ତାରିଖରେ ସ୍ୱାମୀ ଆତ୍ମହତ୍ୟା କଲେ ।
ହାଇକୋର୍ଟ କହିଛନ୍ତି ଯେ ପୋଲିସ୍ ସଂପୃକ୍ତ ମହିଳାଙ୍କ ବିରୋଧରେ ୩୦୬ ଦଫା ଲଗାଇବା ଠିକ୍ ହୋଇନାହିଁ। ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଉପେନ୍ଦ୍ରର କାରନାମାର ତଦନ୍ତ କରିବା ବଦଳରେ ପୋଲିସ୍ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ତେଣୁ ଟିକ୍‌ଟକ୍ କରି ଛାଡ଼ିଥିବା ବ୍ୟକ୍ତିକୁ ତଦନ୍ତ ପରସରକୁ ଆଣିବା ଦରକାର ଥିଲା । ଏହି ରାୟ ଦେଇ ହାଇକୋର୍ଟ ଆଜି ସଂପୃକ୍ତ ମହିଳାଙ୍କୁ ଜାମିନ ଦେଇଛନ୍ତି ।
ମାମଲାର ଶୁଣାଣି ବେଳେ କୋର୍ଟ ଆହୁରି କହିଛନ୍ତି ଯେ ଗାଁରୁ ଆରମ୍ଭ କରି ସହର ଯାଏ ସବୁଠି ଯୁବ ପିଢ଼ି ଏପରିକି ପିଲାମାନେ ମଧ୍ୟ ଟିକ୍‌ଟକ୍‌ର ଶିକାର ହୋଇଛନ୍ତି । ଏହି ଟିକ୍‌ଟକ୍ ଜରିଆରେ ଅନ୍ୟମାନଙ୍କୁ ଲଜ୍ଜିତ, ଅପମାନିତ ମଧ୍ୟ କରୁଛନ୍ତି । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.