ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧି ସୁପର ସ୍ପେସିଆଲ୍ଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଶନିବାର ତାଙ୍କର ଫୁସ୍ଫୁସ୍ ସଂକ୍ରମଣ ବୃଦ୍ଧି ପାଇବାରୁ ତାଙ୍କୁ ସାକେତ ଠାରେ ଥିବା ସୁପର ସ୍ପେସିଆଲ୍ଟି ହସ୍ପିଟାଲ୍ର ଆଇସିୟୁ କୁ ସ୍ଥାନାନ୍ତର କରାଯାଇଛି । ସେ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କର ସିଟି ସ୍କାନ୍ କରାଯାଇଥିଲା ।
ଯେଉଁଥିରେ ତାଙ୍କର ଫୁସ୍ ଫୁସ୍ରେ ନିମୋନିଆ ପ୍ୟାଚ୍ ବୃଦ୍ଧି ପାଇଥିବା ଦେଖାଯାଇଥିଲା । ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଦିଲ୍ଲୀ ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ଗତ ମଙ୍ଗଳବାର ଜ୍ୱର ଓ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୫୫ ବର୍ଷ ବୟସ୍କ ଜୈନ୍ଙ୍କୁ ରାଜୀବ ଗାନ୍ଧି ସୁପର ସ୍ପେସିଆଲଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିଲା ।
ହେଲେ ପରେ ପୁଣି ତାଙ୍କର ରିପୋର୍ଟ ପଜେଟିଭ୍ ଆସିଥିବା ଜଣାପଡିଥିଲା । ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲ୍ ମଧ୍ୟ ପ୍ରକାଶ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଟ୍ଵିଟର ମାଧ୍ୟମରେ ଜୈନ୍ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।