ଭୁବନେଶ୍ବର: ଦୁଇ ଜଣ ଜନପ୍ରତିନିଧି । ଜଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅନ୍ୟ ଜଣେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ଦୁଇ ଜଣଙ୍କ ନାଁରେ ରହିଛି କୋଭିଡ୍ ନିୟମ ଉଲଂଘନ ଅଭିଯୋଗ । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ ହୋଇଛି । କୋଭିଡ ପଜିଟିଭ ସତ୍ତ୍ୱେ ନିୟମ ଉଲ୍ଲଙ୍ଘନ ନେଇ ଅଭିଯୋଗ ପରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଏପିଡେମିକ୍ ଆକ୍ଟରେ ମାମଲା ରୁଜୁ କରିଛି ।
ଆଇପିସିର ଦଫା ୨୬୯ ଓ ୨୭୦ ଧାରାରେ ମାମଲା ରୁଜୁ ହୋଇଛି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଉମା ସାମନ୍ତରାୟ ହୋମ ଆଇସୋଲେସନରେ ଥିଲେ । ଏହି ସମୟରେ ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିବା ନେଇ ଗତ ୫ ତାରିଖରେ ଥାନାରେ ଏତଲା ହୋଇଥିଲା ।
ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହେଲା, ଏବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ମାମଲା ରୁଜୁ କରିବ କି ପୋଲିସ ? ଅପରାଜିତା ଷଡଙ୍ଗୀ ନିଜ ଜନ୍ମଦିନ ପାର୍ଟିରେ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ନିକଟରେ ଫେରାଦ ହୋଇଛି ରାଜ୍ୟ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମାସ୍କ ନପିନ୍ଧି, ସାମାଜିକ ଦୂରତାକୁ ନମାନି ନାଚ ଗୀତରେ ଜନ୍ମଦିନ ପାଳିଥିଲେ ଅପରାଜିତା ।