ଥମିବାର ନାଁ ନେଉନାହିଁ କରୋନା, ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ ! ଚୀନରେ ୫ ମାସ ପରେ ସବୁଠାରୁ ଅଧିକ ମାମଲା ପୁଷ୍ଟି

ଆମେରିକାରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପାଖାପାଖି ୪୫୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସୂଚନାଥାଉ କି, ଆମେରିକା ବିଶ୍ୱରେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ। ଏ ପର୍ଯ୍ୟନ୍ତ ୨ କୋଟି ୨୮ ଲକ୍ଷ ୩୬ ହଜାର ୨୪୪ ମାମଲା ସାମ୍ନାକୁ ଆସିଥିବା ବେଳେ ୩ ଲକ୍ଷ ୮୦ ହଜାର ୬୫୧ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଚୀନରେ ମଧ୍ୟ କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି। ଦେଶର ୪ଟି ସହରରେ ଲକ୍‌ଡାଉନ ଲାଗୁ ହୋଇଛି। ଗତ ୨୪ ଘଣ୍ଟାରେ ଅର୍ଥାତ୍‌ ଗୋଟିଏ ଦିନରେ ଏଠାରେ କରୋନାର ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି।

corona2

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏକ ବୟାନରେ କହିଛି, ମୋଟ ୧୧୫ ନୂଆ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନ ପୂର୍ବରୁ ୫୫ଟି ମାମଲା ସାମ୍ନାକୁ ଆସିଥିଲା। ୩୦ ଜୁଲାଇ ପରେ ଏତେ ମାମଲା ଗୋଟିଏ ଦିନରେ ସାମ୍ନାକୁ ଆସିଛି। ଆୟୋଗର କହିବା ଅନୁଯାୟୀ, ନୂଆ ମାମଲାଗୁଡ଼ିକ ମଧ୍ୟରୁ ୧୦୭ଟି ସ୍ଥାନୀୟ। ହେବୟୀରେ ସବୁଠାରୁ ଅଧିକ ୯୦ ମାମଲା ସାମ୍ନାକୁ ଆସିଥିବା ବେଳେ ଚୀନରେ ୮୭ ହଜାର ୭୦୬ ମାମଲା ସାମ୍ନାକୁ ଆସିଛି। ଏଭଳି ସ୍ଥଳେ ୪୬୩୪ ଲୋକଙ୍କ ମୃତ୍ୟୁ ହୋଇଛି।

ରୁଷରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୯୩୪ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ମାମଲା ସଂଖ୍ୟା ୩,୪୪୮,୨୦୩ରେ ପହଞ୍ଚିଛି। ଏହାରି ଭିତରେ କରୋନାରେ ୫୩୧ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ବଢ଼ି ୬୨,୮୦୪ ହୋଇଯାଇଛି। ଏକ ରିପୋର୍ଟ ମୁତାବକ, ମସ୍କୋରେ ଗତ ୨୪ ଘଣ୍ଟାରେ ୫,୦୦୧ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂଖ୍ୟା ୮୬୭,୨୧୫ରେ ପହଞ୍ଚିଛି।

corona3
photo credit: new Indian express

ସେହିପରି ବ୍ରାଜିଲରେ ଗୋଟିଏ ଦିନରେ ୧,୧୧୦ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ୨୦୪,୬୯୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଦେଶରେ ୬୪,୦୨୫ ନୂଆ ମାମଲା ସାମ୍ନାକୁ ଆସିଛି। ଜାପାନରେ ମଙ୍ଗଳବାର କରୋନାର ୪,୫୩୯ଟି ନୂଆ ମାମଲା ଦେଖିବାକୁ ମିଳିଛି। ସୂଚନା ଅନୂଯାୟୀ, ସାରା ବିଶ୍ୱରେ କରୋନାର ୯.୧ କୋଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.