ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ, ୭ ଲକ୍ଷର ଗହଣା ବିକି ରାମ ମନ୍ଦିରକୁ କଲେ ଦାନ

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ଓ ଲୋକମାନେ ମଧ୍ୟ ଆଗକୁ ଆସି ଏଥିରେ ଅଂଶଗ୍ରହଣ କରୁଛନ୍ତି। କେବଳ ଜୀବିତ ନୁହେଁ ମୃତ ବ୍ୟକ୍ତିମାନେ ମଧ୍ୟ ରାମ ମନ୍ଦିରକୁ ଦାନ କରୁଥିବା ଦେଖାଯାଇଛି। ରାଜସ୍ଥାନର ଯୋଧପୁରର ଆଶା କଓ୍ଵଁର ନାମକ ଜଣେ ମହିଳା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦେଖିବାକୁ ଚାହୁଁଥିଲେ। କିନ୍ତୁ ସେ ବଞ୍ଚିଥିବା ଅବସ୍ଥାରେ ତାହା ଦେଖିପାରିଲେ ନାହିଁ। ଦୀର୍ଘ ଦିନ ଧରି ରୋଗରେ ପଡ଼ିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଆଶା ମୃତ୍ୟୁ ପରେ ମଧ୍ୟ ନିଜ ୭ ଲକ୍ଷର ଗହଣା ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ ମୁତାବକ, ଭଗବାନ ରାମଙ୍କ ମନ୍ଦିର ପାଇଁ ଦାନ କରିବାକୁ ଯୋଧପୁରର ଆଶା କଓ୍ଵଁରଙ୍କ ଇଚ୍ଛା ଥିଲା। କିନ୍ତୁ ବଞ୍ଚିଥିବା ବେଳେ ତାଙ୍କ ଇଚ୍ଛା ପୂରଣ ହୋଇପାରିନଥିଲା। ୫୪ ବର୍ଷ ବୟସରେ ରୋଗରେ ପୀଡ଼ିତ ହୋଇ ଆଶାଙ୍କ ମୃତ୍ୟୁ ଘଟିଥିଲା। ଫେବ୍ରୁଆରୀ ୪ ତାରିଖରେ ତାଙ୍କ ପରଲୋକ ହୋଇଥିଲା। ଏଣୁ ମୃତ୍ୟୁ ପରେ ଏବେ ସ୍ୱାମୀ ଓ ପରିବାର ଲୋକେ ତାଙ୍କ ଇଚ୍ଛା ପୂରଣ କରିଛନ୍ତି।

aasha

ଆଶାଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ସୁନା ଗହଣା ବିକ୍ରି କରି ପ୍ରାୟ ୭-୮ ଲକ୍ଷ ଟଙ୍କା ସମର୍ପଣ ନିଧିକୁ ଦାନ କରିଛନ୍ତି। ସମର୍ପଣ ନିଧି ଅର୍ଥ ସଂଗ୍ରହ କରୁଥିବା ଯୋଧପୁର ଦଳକୁ ସେ ଏହି ଅର୍ଥ ଦାନ କରିଛନ୍ତି। ଏ ଅବସରରେ ମହିଳାଙ୍କ ପରିବାର ସମେତ ଅର୍ଥ ସଂଗ୍ରହ କରୁଥିବା ଟିମ୍‌ ମଧ୍ୟ ଭାବୁକ ହୋଇପଡ଼ିଛନ୍ତି।

Leave A Reply

Your email address will not be published.