ଦିନକୁ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଦିଆଯିବ କରୋନା ଟିକା, ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର
କେନ୍ୟୁଜ୍(ବ୍ୟୁରୋ): ଦିନକୁ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟିକାକରଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୂରା ରାଜ୍ୟରେ ଦୈନିକ ୧ ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ ଲାଗି ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ।
ଚିଠିରେ ଉଲ୍ଲେଖ ଅଛି ଯେ, ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯିବ। ଏଥି ପାଇଁ ବିଭିନ୍ନ ଜିଲ୍ଲାକୁ ଟାର୍ଗେଟ ଦିଆଯାଇଛି। କେଉଁ ଜିଲ୍ଲାରେ ଦିନକୁ କେତେ ଜଣ ଲୋକ କରୋନା ଟିକା ନେବେ ସରକାର ଏହା ନିର୍ଦ୍ଧାରଣ କରିଛନ୍ତି। ବୟସ୍କମାନଙ୍କୁ କରାଯାଉଥିବା କରୋନା ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।