ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବସିବ ସ୍ୱତନ୍ତ୍ର ପେନ୍ସନ୍ ଅଦାଲତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଦେଲେ ସୂଚନା
କେନ୍ୟୁଜ୍(ବ୍ୟୁରୋ): ପେନ୍ସନ ପାଇନଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବସିବ ପେନ୍ସନ ଅଦାଲତ। ଏପ୍ରିଲ ୮ରୁ ୩୦ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଅଭିଯୋଗ ଗ୍ରହଣ କରାଯିବ। ଜୁନ ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ପେନ୍ସନ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପେନ୍ସନ ଅଦାଲତର ବ୍ୟବସ୍ଥା କରିଛନ୍ତି।
କୋଭିଡ କଟକଣା ପାଇଁ ଅଦାଲତ ଅନ୍ଲାଇନ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି। ଅବସର ନେଇଥିବା କର୍ମଚାରୀମାନଙ୍କ ପେନ୍ସନ ମଞ୍ଜୁରୀ ସମନ୍ଵିତ ଆର୍ଥିକ ପରିଚାଳନା ନାମକ ଅନଲାଇନ ବ୍ୟବସ୍ଥା କରାଯାଇଛି। ବହୁ ଛୋଟ ଛୋଟ କାରଣ ପାଇଁ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ପେନ୍ସନ କାଗଜ ବିନା ମଞ୍ଜୁରୀରେ ପଡ଼ିରହିଥିବାରୁ ଏହାର ସମାଧାନ ପାଇଁ ପେନ୍ସନ ଅଦାଲତର ବ୍ୟବସ୍ଥା କରାଯାଇଛି।