ବାଂଶପାଳ (କେନ୍ୟୁଜ) : ହେ ଭଗବାନ, କେତେ ଆଉ ଦୁଃଖ ଦେବ। ସ୍ୱାମୀକୁ ତ ନେଇଗଲ, ପୁଅ ବୋହୂ ତ ଅଲଗା କରିଦେଲେ। କେଉଁଠି ଥିଲା କେଜାଣି ଏ ଘା ବି ଶାନ୍ତିରେ ଟିକେ ବଞ୍ଚାଇ ଦେଉନି। ଏ ହେଉଛି ଏହି ବୃଦ୍ଧା ଡମଣିଙ୍କ ଦୁର୍ଦ୍ଦଶାର କଥା। କେନ୍ଦୁଝର ବାଂଶପାଳ ଅଞ୍ଚଳର ଡମଣି। ୟାଙ୍କ ଦୁଃଖ ଶୁଣିଲେ ଆପଣ ବି ମର୍ମାହତ ହୋଇପଡ଼ିବେ । ଦଇବ ଦାଉ ସାଧେ ଏହାର ପ୍ରମାଣ ଆପଣ ୟାଙ୍କ ଠାରୁ ହିଁ ପାଇଯିବେ। ପୁଅ ଜନ୍ମ କରିଥିଲେ କିନ୍ତୁ ବୋହୁ ଆସିବା ପରେ ପୁଅ କରିଦେଲା ସାତ ପର। ପର ଘରେ ଆଶ୍ରୟ ନେଲେ ଡମଣି। କିନ୍ତୁ ଭଗବାନ ଏତେ ନିର୍ଦୟ ହେଲେ ଯେ ଦୁଃଖ ପରେ ଦୁଃଖ ଦେଇ ଚାଲିଲେ। ମୂଲ ମଜୁରୀ କରି ପେଟ ପୋଷୁଥିବା ଡମଣିଙ୍କ ହଠାତ ଯୌନାଙ୍ଗରେ ଘା ଆରମ୍ଭ ହେଲା। ପରେ ପରେ ଏହା ଜଟିଳ ହୋଇ ଅଧିକ ଭୟଙ୍କର ହେବାକୁ ଲାଗିଲା। ଯାହାଙ୍କ ଘରେ ଆଶ୍ରୟ ନେଇଥିଲେ ସେ ତାଙ୍କୁ ଘରୁ ତଡି ଦେଲେ।
ଆଉ ଉପାୟ କିଛି ନଥିଲା । ତେଣୁ ଗାଁ ଲୋକେ ସହାୟତା କରି ତାଙ୍କ ପାଇଁ ପଲିଥିନ ଟାଣି ଏକ ଆଶ୍ରୟ ସ୍ଥଳ କରି ଦେଇଥିଲେ। ହେଲେ ଏଇ ଘା ହେବା ପରେ ସେମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡମଣିଙ୍କୁ ଗାଁରୁ ବାସନ୍ଦ କରିଦେଲେ । ଏବେ ଅତି ଦୟନୀୟ ଅବସ୍ଥାରେ ପାଲ ତଳେ ପଡି ରହିଛନ୍ତି ଡମଣି। ଏସବୁ ଦୁଃଖ ସାଙ୍ଗକୁ ଶାରୀରିକ ଯନ୍ତ୍ରଣାକୁ ସାଙ୍ଗରେ ବୋହି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଡମଣି।
ଏବେ ଏହି ଅସହାୟ ଡମଣିଙ୍କୁ ଏକ ମାତ୍ର ଭରସା ହେଉଛି ଚିକିତ୍ସା। ଏଥିପାଇଁ ପ୍ରଶାସନ ଡମଣିଙ୍କ ପାଖରେ ପହଞ୍ଚି ସହାୟତା ଯୋଗଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଆମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେଇଥିଲୁ । ଆଉ ଖୁବଶୀଘ୍ର ଡମଣିଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଗରିବ ବୃଦ୍ଧାଙ୍କୁ କେବଳ ଚିକିତ୍ସା ନୁହେଁ ସ୍ଥାୟୀ ଥଇଥାନ ବି ଦରକାର । ଯାହା କେବଳ ସମ୍ଭବ ହେବ ସ୍ଥାନୀୟ ପ୍ରଶାସନ ଦ୍ୱାରା ।