ଦିନରେ ରଙ୍ଗ ମିସ୍ତ୍ରୀ ରାତିରେ ସେହି ଘରୁ ଚୋରି, ରାଜଧାନୀରୁ ବନ୍ଧା ହେଲା ରଙ୍ଗିଲା ଚୋର

ଭୁବନେଶ୍ୱର (କେ.ନ୍ୟୁଜ): ଚୋରି କରି ଲକ୍ଷପତି ସାଜିଥିବା ରଙ୍ଗମିସ୍ତ୍ରୀ ଚୋରକୁ ଗିରଫ କରିଛି କମିସନରେଟ ପୋଲିସ। ଏହି ଚୋର ଦୀର୍ଘ ୫ ବର୍ଷ ଧରି ପୋଲିସ ହାତରେ ଧରାପଡିନଥିଲା। ପୋଲିସ ସ୍କାନରରୁ ଖସିଯାଉଥିଲା। ଅଭିଯୁକ୍ତ ଦିଲ୍ଲୀପ କୁମାର ନାୟକ(୨୮)କୁ ଗିରଫ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ।

ଦିଲ୍ଲୀପ ନୟାଗଡର ନୂଆଗାଁରୁ ଆସି ରାଜଧାନୀର ଶିଶୁପାଳଗଡରେ ରହୁଥିଲା। ସେ ଏଠାରେ ରହି ଦିନରେ ରଙ୍ଗକାମ କରି ଘରଗୁଡିକୁ ଭଲଭାବେ ପରଖିବା ପରେ ରାତିରେ କଳାକନା ବୁଲାଉଥିଲା। ଗିରଫ ପରେ ତା’ ଠାରୁ ୪୪ ହଜାର ଟଙ୍କା ସମେତ ୮ଟି ସୁନା ଚେନ, ୭ଟି କାନ ଫୁଲ, ୪ଟି ମୁଦି, ୯ଟି ଚୁଡି, ସିଲଭର ଗହଣା ଜବତ କରିଛି ପୋଲିସ।ଏଥିସହ ଚୋରି ପଇସାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଦିଲ୍ଲୀପ। ଚୋରି ଟଙ୍କାରେ ସେ ଏକ ଦାମୀ କାର ସହ ୨ଟି ବାଇକ ଓ ସ୍କୁଟି କିଣିଥିବା ବେଳେ ତାହାକୁ ଜବତ କରିଛି ପୋଲିସ। ତେବେ ସବୁଠୁ ବଡ କଥା ହେଉଛି ଚୋରି ବେଳେ ଏକୁଟିଆ ଦେଖି ସେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ମଧ୍ୟ ସାମ୍ନାକୁ ଆସିଛି। ବଡଗଡ ଥାନା ଅଞ୍ଚଳରେ ଏଭଳି ଉଦ୍ୟମ କରିଥିବା ୨୦୨୦ରେ ଥାନାରେ ରିପୋର୍ଟ ହୋଇଥିଲା। ତେବେ ଦିନେ ରାତିରେ ଏପରି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ତାକୁ ପିସିଆର ଧରି ଥାନାରେ ଅଟକ ରଖିଥିଲା।

୨୦୧୬ରୁ ୨୩ ବର୍ଷରୁ ଚୋରି କରିବା ଆରମ୍ଭ କରିଥିଲା ଦିଲ୍ଲୀପ। ପ୍ରଥମେ ଏସି ଫିଟିଙ୍ଗ, ଘର ସରଞ୍ଜାମ ଚୋରି କରିବା ପରେ ଧୀରେ ଧୀରେ ସୁନା ଅଳଙ୍କାର ଦାମୀ ଜିନିଷ ଚୋରି କରିବା ଆରମ୍ଭ କରିଥିଲା। ଲକ୍ଷ୍ମୀସାଗର, ଧଉଳି, ମଞ୍ଚେଶ୍ଵର, ବଡ଼ଗଡ ଆଦି ଥାନାରେ ତା ନାଁରେ ଅନେକ କେସ ରହିଛି। ତେବେ ଏବେ ଧରାପଡିବା ପରେ ୧୧ଟି କେସରେ ଗିରଫ କରି ପୋଲିସ ଦିଲ୍ଲୀପକୁ କୋର୍ଟ ଚାଲାଣ କରିଛି ଓ ଏହା ସହ ଚୋରି ଜିନିଷ କିଣିଥିବା ଆଉ ଜଣକୁ ମଧ୍ୟ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.