କେଜ୍ରିଓ୍ଵାଲଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍ ଇନ୍ସୁଲିନ, ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି AIIMSର ୫ ଡାକ୍ତର
କୋର୍ଟଙ୍କ ନିର୍ଦ୍ଦେଶ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ AIIMSର ୫ ଜଣିଆ ଡାକ୍ତରଙ୍କର ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଏପ୍ରିଲ ୨୩ରେ ଏହି ବୋର୍ଡ ଗଠନ କରାଯାଇଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ AIIMSର ୫ ଜଣିଆ ଡାକ୍ତରଙ୍କର ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି । ଏପ୍ରିଲ ୨୩ରେ ଏହି ବୋର୍ଡ ଗଠନ କରାଯାଇଥିଲା ।
ମୁଖ୍ୟ ଡାକ୍ତର ନିଖିଲ ଟଣ୍ଡନ ମେଡିକାଲ ବୋର୍ଡର ନେତୃତ୍ୱ ନେଉଛନ୍ତି । କହି ରଖୁଛୁ ଯେ ତିହାର ଜେଲର ଡିଜିଙ୍କ ଚିଠିରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ପୂର୍ବରୁ ହିଁ AIIMS ଜରିଆରେ ଡା. ଟଣ୍ଡନଙ୍କୁ ନିଯୁକ୍ତ କରାଯାଇଥିଲା । ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହାପରେ ସେ ୧୦ ଦିନିଆ ଇଡି ହେପାଜତରେ ରହିଥିଲେ । ପରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତରେ ଜେଲକୁ ପଠାଇ ଦେଇଥିଲେ ।
ଗତ ସୋମବାର ଏପ୍ରିଲ ୨୨ଠାରୁ କେଜ୍ରିୱାଲଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ପୂର୍ବରୁ ୨-୨ ୟୁନିଟ୍ ଲେଖାଏ ଇନ୍ସୁଲିନର ଲୋ-ଡୋଜ୍ ଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ ବୋର୍ଡ ସହ କେଜ୍ରିଓ୍ଵାଲଙ୍କର ଭେଟ ହୋଇନାହିଁ । ଖୁବ୍ ଶୀଘ୍ର ମେଡିକାଲ ବୋର୍ଡର ଟିମ୍ ତିହାର ଜେଲ ଯାଇ ସେଠାରେ କେଜ୍ରିୱାଲଙ୍କୁ ଚେକ୍ଅପ କରିପାରନ୍ତି । ଜେଲର ଡାକ୍ତରମାନେ ପ୍ରତିଦିନ ତାଙ୍କ ସୁଗାର ଲେବଲ୍ ଯାଞ୍ଚ କରୁଛନ୍ତି ଏବଂ ତାଙ୍କୁ ନଜରରେ ରଖିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, କେଜ୍ରିୱାଲଙ୍କୁ ଘର ତିଆରି ଖାଦ୍ୟ ହିଁ ଦିଆଯାଉଛି ।
ସୂଚନାଥାଉ କି, ତିହାରରେ କେଜ୍ରିଓ୍ଵାଲଙ୍କ ସୁଗାର ଲେବଲ୍ କ୍ରମାଗତ ଭାବେ ବଢ଼ିଚାଲିଥିଲା । ତାଙ୍କର ସୁଗାର ସ୍ତର ୩୨୦ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ଯାହାପରେ ତାଙ୍କୁ ଏଠାରେ ଇନ୍ସୁଲିନ ଦିଆଯାଇଛି ।
ଏହାପୂର୍ବରୁ ତିହାର ଜେଲ୍ରେ କେଜ୍ରିଓ୍ଵାଲଙ୍କୁ ଇନ୍ସୁଲିନ ଦିଆ ନ ଯିବା ପ୍ରସଙ୍ଗ ଉପରେ ଆମ୍ ଆଦ୍ମୀ ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ତିହାର ବାହାରେ ଇନ୍ସୁଲିନ ଡୋଜ୍କୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସାଙ୍କେତିକ ପ୍ରଦର୍ଶନ କରିଥିଲେ । ସେମାନେ ଜେଲ୍ ଅଧିକାରୀଙ୍କୁ ସିଏମ୍ଙ୍କୁ ଇନ୍ସୁଲିନ ଉପଲବ୍ଧ କରାଇବାକୁ କହିଥିଲେ ।