Below header

ନାତୁଣୀ ବାହାଘରରେ ଜୀବନ୍ତ ଜଳିଗଲେ ଜେଜେବାପା… ଟେଣ୍ଟରେ ଶୋଇଥିବା ବେଳେ ACରେ ହେଲା ସର୍ଟ ସର୍କିଟ୍‌

ରାଜସ୍ଥାନର ବୁନ୍ଦିରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ବିବାହର ସୁଖ ଶୋକରେ ବଦଳିଯାଇଛି । ବାହାଘର ଉତ୍ସବ ଭିତରେ ଏକ ଟେଣ୍ଟରେ ନିଆଁ ଲାଗି କନ୍ୟାର ଜେଜେବାପା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେ ହେଲେ, ୭୦ ବର୍ଷୀୟ ଲାଲ ମହମ୍ମଦ ।

ରାଜସ୍ଥାନର ବୁନ୍ଦିରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ବିବାହର ସୁଖ ଶୋକରେ ବଦଳିଯାଇଛି । ବାହାଘର ଉତ୍ସବ ଭିତରେ ଏକ ଟେଣ୍ଟରେ ନିଆଁ ଲାଗି କନ୍ୟାର ଜେଜେବାପା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେ ହେଲେ, ୭୦ ବର୍ଷୀୟ ଲାଲ ମହମ୍ମଦ । ସେପଟେ ପରିବାରର ଜଣେ ବରିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁରେ ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ସଫାରି ଟେଣ୍ଟରେ ଲାଗିଥିବା ଏସିରେ ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ମ୍ୟୁନିସିପାଲିଟି ପରିଷଦର ୩ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଟେଷ୍ଟରେ ଭୟଙ୍କର ନିଆଁ ଲାଗିଥିବାର ଦେଖାଯାଉଛି । ଏହି ସମୟରେ ଚିତ୍କାର ଶବ୍ଦ ଏବଂ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଡେପୁଟି ପୋଲିସ ଅଧୀକ୍ଷକ ଅମର ସିଂ, ଏସ୍‌ଡିଏମ୍‌ ଦୀପକ ମିତ୍ତଲଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି, ଟୋଙ୍କ ଜିଲ୍ଲାର ଟୋଡାରାଇ ସିଂ ନିବାସୀ ଇଦ୍ ମହମ୍ମଦଙ୍କ ଦୁଇ ଝିଅଙ୍କର ଆଜି ବିବାହ ଉତ୍ସବ ଥିଲା । ଗତ କିଛି ଦିନ ଧରି ପରିବାର ଲୋକେ ଉତ୍ସାହର ସହିତ ପ୍ରସ୍ତୁତି କରୁଥିଲେ । ଆଜି ସନ୍ଧ୍ୟାରେ ହିଁ ବରଯାତ୍ରୀ ଆସିବାର ଥିଲା । ଗୋଟିଏ ବରଯାତ୍ରୀ ଦଳ ଶିବପୁରୀ ଏବଂ ଅନ୍ୟ ଦଳ ସବାଇ ମାଧୋପୁରରୁ ଆସିଥାଆନ୍ତେ । ହେଲେ ଏହା ପୂର୍ବରୁ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା ।

ପୋଲିସ ମୁତାବକ, ମଙ୍ଗଳବାର ରାତିରେ ମେହେନ୍ଦି ସମାରୋହ ପରେ ସମସ୍ତେ ରାତି ପ୍ରାୟ ୨ଟାରେ ହୋଟେଲ ରୁମ୍, ସଫାରି ଟେଣ୍ଟ ଆଦି ସ୍ଥାନକୁ ଶୋଇବାକୁ ଯାଇଥିଲେ । ସକାଳ ୬ଟା ବେଳେ ମ୍ୟାରେଜ୍‌ ଗାର୍ଡେନରେ ଥିବା ଏକ ସଫାରି ଟେଣ୍ଟରେ ନିଆଁ ଲାଗିଯାଇଥିଲା । ଏଠାରେ ଥିବା ଏସିରେ ସର୍ଟ ସର୍କିଟ ହୋଇଥିଲା । ଏଥିଯୋଗୁ ଏକାଧିକ ସଫାରି ତମ୍ବୁ ପୋଡି ପାଉଁଶ ହୋଇଯାଇଥିଲା ।

କନ୍ୟାର ଜେଜେବାପା ଲାଲ ମହମ୍ମଦ ଓ ନାତି ଅମନ ସଫାରି ଟେଣ୍ଟରେ ଶୋଇଥିଲେ । ସର୍ଟ ସର୍କିଟ ହେବା ମାତ୍ରେ ସେମାନଙ୍କ ଉପରେ ନିଆଁର ସ୍ପାର୍କ ଯେତେବେଳେ ପଡ଼ିଥିଲା, ସେତେବେଳେ ଅମନ ଚିତ୍କାର କରି ବାହାରକୁ ବାହାରି ଆସିଥିଲେ ଏବଂ ପରିବାର ଲୋକଙ୍କୁ ଉଠାଇଥିଲେ । ତାଙ୍କ ଦାଦା ସାନୁ ଜଳନ୍ତା ଟେଣ୍ଟରେ ପଶି ବାପା ଲାଲ ମହମ୍ମଦଙ୍କୁ ବାହାରକୁ ଟାଣି ଆଣିଥିଲେ । ହେଲେ ସେତେବେଳକୁ ତାଙ୍କ ଶରୀର ଜଳି ଯାଇଥିଲା ଏବଂ ଅସହ୍ୟ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ । ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅମନ ଓ ସାନୁ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.