ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍ । ଆଜି ଓ କାଲି ଦୁଇ ଦିନ ବନ୍ଦ । ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ଦୁଇ ଦିନ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ସଟଡାଉନ୍ ବେଳେ ଜାରି ରହିବ ଅତ୍ୟାବଶ୍ୟକ ସେବା । ଗାଡ଼ିମୋଟର ଚଳାଚଳ, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।
ହସ୍ପିଟାଲ, କ୍ଲିନିକ୍, ନର୍ସିଂ ହୋମ୍ ଓ ମେଡିସିନ୍ ଷ୍ଟୋର ଖୋଲା ରହିବ । ସଟଡାଉନରୁ ଆମ୍ବୁଲାନ୍ସ ସେବା, ପୋଲିସ ଓ ଫାୟାର ସର୍ଭିସ୍କୁ ବାଦ ଦିଆଯାଇଛି । ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ଜାରି ରହିବ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବିତରଣ ଓ ମାଲ ପରିବହନ । ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାମ ପୂର୍ବ ଭଳି ଚାଲିବ । କୃଷି ଭିତ୍ତିକ କାର୍ଯ୍ୟ, ରେଳ ଓ ବିମାନ ସେବା, ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ ।
ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଟ୍ୟାକ୍ସି ସେବା ଜାରି ରହିବ । ଖାଦ୍ୟର ହୋମ୍ ଡେଲିଭରି ଜାରି ରହିବ । ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାଇପାରିବେ। ନିୟମର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସଟଡାଉନ୍ ବେଳେ ଭୁବନେଶ୍ୱର ୨୦ ଓ କଟକରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ।