Below header

 ଆଜି ମାତୃ ଦିବସରେ ଦେଖନ୍ତୁ ଗୋଟେ ମାଆ ତାର ପିଲା ପାଇଁ କଣ କରିପାରେ

ଚାନ୍ଦବାଲି (କେନ୍ୟୁଜ) : ମା’-ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’କୋଳଠାରୁ ଆରାମଦାୟକ ଓ ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ପୃଥିବୀ ପରି ଉଦାର ଓ ଆକାଶ ଭଳି ବିଶାଳ। ହୃଦୟରେ ସନ୍ତାନ ପାଇଁ ଅମାପ ଭଲ ପାଇବା ଭରି ରଖିଥାଏ ମା’। ଛାତିର ଅମୃତ ପାନ କରାଇ ସନ୍ତାନକୁ ଦିଗବିଜୟୀ କରେ। ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ଆଉ ମା’ରେ ଶେଷ । ତେବେ ଆମେ ଆଜି ମାତୃ ଦିବସରେ ଏପରି ଏକ ମାଆର କାହାଣୀ ଆପଣଙ୍କୁ ଦେଖାଇବୁ, ଯାହାକୁ ଦେଖିଲେ ସତରେ ମାଆର ହୃଦୟ କେତେ ବିଶାଳ ଆପଣ ଜାଣିପାରିବେ । ନିଜର ସୁଖକୁ ଭୂଲି ଦୀର୍ଘ 35ବର୍ଷ ହେଲା ପୁଅର ସେବା କରିଆସୁଛି ଏହି ମାଆଟିା ହେଲେ କେବି ବି ପୁଅକୁ କରିନି ହତାଦାର ।

ଭଦ୍ରକ ଜିଲ୍ଲା ଧୂଷୁରୀ ସାହାସରପୁର ଗାଁର ଏ ଦୃଶ୍ୟ। ଗାଁର ବିଧବା ଲିଳାବତୀ ସାହୁ । ଲିଳାବତୀଙ୍କ ଦୁଃଖ କହିଲେ ନସରେ । ହେଲେ ସବୁ ଦୁଃଖ , କଷ୍ଟକୁ ଛାତିରେ ଜାବୁଡି ଧରି ଦୀର୍ଘ ୩୫ ବର୍ଷ ହେଲା ନିଜ ଭିନ୍ନକ୍ଷମ ପୁଅର ସେବା କରିଆସୁଛନ୍ତି । ନିଜେ ଭିକ ମାଗି ପୁଅର ଭୋକିଲା ପେଟକୁ ଆହାର ଯୋଗାଉଛନ୍ତି ଏହି ମାଆ । ଯେତେ ଦୁଃଖ କଷ୍ଟ ଆସିଲେ ବି ପୁଅର ପାଖ ଛାଡିନି । ପୁଅ ଭିନ୍ନକ୍ଷମ । ତେଣୁ ଯେଉଁ ସମୟରେ ପୁଅ ମାଆର ସେବା କରିବା କଥା ସେ ସମୟରେ ମାଆ କରିଚାଲିଛି ପୁଅର ସେବା । ନାଁ ଅଛି କିଛି ପାଇବାର ଆଶା ନାଁ ଆଉ କିଛି । ତେବେ ଏଭଳି ମାଆ ଅନ୍ଯ ମାଆଙ୍କ ପାଇଁ ସାଜିଛନ୍ତି ଉଦାହରଣ।

୫ ବର୍ଷ ତଳେ ସ୍ୱାମୀ ଚାଲିଗଲେ ଆରପାରିକୁ । ଆଉ ସ୍ୱାମୀ ଚାଲିଗଲା ପରେ ସତେ ଯେମିତି ଏହି ଅସହାୟ ମହିଳାଙ୍କ ଉପରେ ମାଡି ଆସିଲା ବିପଦର କଳା ପାହାଡ । ଗୋଟେ ପଟେ ଦୁଃଖ ଆଉ ଦାରିଦ୍ରର ବୋଝ ସାଙ୍ଗକୁ ଅନ୍ଯ ପଟେ ଭିନ୍ନକ୍ଷମ ପୁଅର ଚିନ୍ତା । ଜନ୍ମରୁ ପୁଅ ନାଁ ଚାଲିପାରୁଛି ନାଁ କିଛି କାମ କରିପାରୁଛି । ଏମିତିକି ଭଲଭାବେ କଥା ମଧ୍ୟ କହିପାରୁନି । ସକାଳୁ ଉଠିବା ପରଠାରୁ ପୁଅ ଦାନ୍ତ ଘଷିବା, ଗାଧୋଇବା ଏବଂ ପୁଅକୁ ଖୁଆଇଦେବା ଭଳି ସବୁ କାମ କରୁଛି ଏହି ମାଆ । ଏମିତି ୩୫ ବର୍ଷ ହେଲା ପୁଅର ସେବା କରିଆସୁଛନ୍ତି ଲିଳାବତୀ । ତେବେ ବର୍ତମାନ ମାଆ ଲୀଳାବତିକୁ ଘାରିଛି ପୁଅର ଥଇଥାନ ଚିନ୍ତାା କାହିଁକିନା ମା ପହଁଚିଲେଣି ବୟସର ଅପରାହ୍ନରେ ତେଣୁ ପୁଅକୁ ସାହାଯ୍ୟ କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି ଏହି ମାଆ।

ଜାଣିଲେ ତ ପୁଅ ପାଇଁ କେତେ ଚିନ୍ତା ମାଆର। ଆଜିର ଦୁନିଆରେ ବିନା ସ୍ୱାର୍ଥରେ କେହି ବି କିଛି ଭାବନ୍ତିନାହିଁ । ହେଲେ ମାଆ , ଏମିତି ଜଣେ ମଣିଷ ଯେ କି ବିନା ସ୍ୱାର୍ଥରେ ନିଜ ପିଲାକୁ ଅଜାଡି ଦେଇଥାଏ ଅଜସ୍ର ମମତା । ନିଜର ସୁଖକୁ ପଛରେ ପକାଇ ନିଜ ପିଲାର ସୁଖକୁ ଦେଖିଥାଏ। ଆଉ ଯେଉଁ ପୁଅ ବାହା ହୋଇ ସ୍ତ୍ରୀ ଆସିଗଲା ପରେ ମାଆକୁ ଭୁଲିଯାଉଛନ୍ତି ଅବହେଳିତ କରୁଛନ୍ତି ଦାଣ୍ଡରେ ମରିବା ପାଇଁ ଛାଡି ଦେଉଛନ୍ତି ସେମାନେ ଏହି ଭିଡିଓ ଦେଖି ମାଆର ସ୍ଥାନକୁ ଅନୁଭବ କରନ୍ତୁ। କାହିଁକିନା ଏ ଦୁନିଆରେ କେବଳ ସେ ହିଁ ଜଣେ ମାତ୍ର ଯିଏ ବିନା ସ୍ୱାର୍ଥରେ ସବୁବେଳେ ନିଜ ପିଲା ପାଇଁ ଚିନ୍ତା କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.