କେନ୍ୟୁଜ୍(ବ୍ୟୁରୋ): ସୋସିଆଲ୍ ମିଡିଆରେ ଟ୍ରୋଲ ହେଲେ ବଲିଉଡ ଅଭିନେତା ସୋନୁ ସୁଦ । ଜଣେ ରୋଗୀଙ୍କ ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲରେ ବେଡ୍ ବ୍ୟବସ୍ଥା କରାଇଥିବା ଟ୍ଵିଟ୍କୁ ନେଇ ସମାଲୋଚିତ ହୋଇଛନ୍ତି । ଜଣେ ବ୍ୟକ୍ତି ବେଡ୍ ପାଇଁ ସୋସିଆଲ୍ ମିଡିଆରେ ସୋନୁ ସୁଦଙ୍କ ସହାୟତା ଲୋଡ଼ିଥିଲେ । ଯାହାର ଜବାବରେ ଟ୍ଵିଟ୍ କରି ସୋନୁ ସୁଦ କହିଥିଲେ, ବ୍ୟସ୍ତ ହୁଅନା । ବେଡ୍ ବ୍ୟବସ୍ଥା ହୋଇଛି । ଗତ ୧୫ ତାରିଖରେ ଏହି ଟ୍ଵିଟ୍ କରିଥିଲେ ସୋନୁ ସୁଦ । ଏହାପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ଵିଟ୍ କରି କହିଥିଲା, ସୋନୁ ସୁଦ କିମ୍ବା ସୋନୁ ସୁଦ ଫାଉଣ୍ଡେସନରୁ ସେମିତି କିଛି ଅନୁରୋଧ ଆସି ନାହିଁ ।
ସହାୟତା ଲୋଡ଼ିଥିବା ରୋଗୀ ହୋମ୍ ଆଇସୋଲେସନରେ ଅଛନ୍ତି । କିଛି ବି ବେଡ୍ ସମସ୍ୟା ନାହିଁ ଓ ବ୍ରହ୍ମପୁର ମହାନଗର ନିଗମ ଅନୁଧ୍ୟାନ କରୁଛି ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ କହିବା ପରେ ସୋନୁଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ କରିଛନ୍ତି ଫ୍ୟାନ୍ । କେହି କେହି ଏହାକୁ ସୋନୁଙ୍କ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି । ଏପରିକି ସୋନୁଙ୍କୁ ସହାୟତା ମାଗିଥିବା ବ୍ୟକ୍ତି ଟ୍ଵିଟ୍କୁ ଡିଲିଟ କରି ଦେଇଛନ୍ତି ।
ଗଞ୍ଜାମ ପ୍ରଶାସନର ପ୍ରତିକ୍ରିୟା ପରେ ଟ୍ଵିଟ୍ କରିଛନ୍ତି ସୋନୁ ସୁଦ୍ । ସେ କହିଛନ୍ତି, ସେକଥା ପାଇଁ ଆମେ ଆପଣଙ୍କୁ କହିନୁ । ବେଡ୍ ଆବଶ୍ୟକ କରୁଥିବା ବ୍ୟକ୍ତି ଆମକୁ କହିଥିଲେ । ତାଙ୍କ ସହ କରିଥିବା ଚାଟିଂକୁ ବି ଆଟାଚ୍ କରିଛନ୍ତି ସୋନୁ ସୁଦ୍ । ଏହାପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜବାବରେ କହିଛି, ଆପଣଙ୍କ ବ୍ୟବସ୍ଥାକୁ ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନଥିଲା । ବେଡ୍ ଉପଲବ୍ଧତା ପାଇଁ ଆମ ଟିମ୍ ୨୪ ଘଣ୍ଟିଆ କାମ କରିଛନ୍ତି । କିଛି ଅଭିଯୋଗ ଆସିଲେ ତଦନ୍ତ କରିବା ଆମର ଦାୟିତ୍ୱ । ଏଥିପାଇଁ ଆମେ ସନ୍ଦେହ ଦୂର କରିଛୁ । ..