କେନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍ ଓ ବସ୍ ଟର୍ମିନାଲ ଉଦ୍ଘାଟିତ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛୋଟ ଛୋଟ ସହରର ବିକାଶ ଉପରେ ଦିଆଯାଉଛି ଅଧିକ ଗୁରୁତ୍ୱ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଆଜି ବସ୍ ଟର୍ମିନାଲ ମଧ୍ୟ ଉଦଘାଟିତ ହେଲା । ବସ୍ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍ ଚଳାଚଳ ହୋଇପାରିବ ଏବଂ ଏହାଦ୍ଵାରା ଲୋକଙ୍କ ଯାତାୟାତରେ ଅନେକ ସୁବିଧା ଆସିପାରିବ । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନ ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ସେହିପରି ତୁଳା ଜିନିଙ୍ଗ ମିଲ୍ ରାଜ୍ୟର ସମବାୟ କ୍ଷେତ୍ରରେ ନୂଆ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା କପା ଚାଷୀମାନଙ୍କ ରୋଜଗାର ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାସହିତ ଅନ୍ୟ ଚାଷୀଙ୍କୁ ମଧ୍ୟ ଫସଲର ବିବିଧକରଣ ପାଇଁ ପ୍ରେରଣା ଦେବ । ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଥିଲେ ।
ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ତାହା ୫ ହଜାର ହେକ୍ଟରରେ ପହଞ୍ଚିଛି । ପୂର୍ବରୁ ୪ କ୍ଵିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ଵିଣ୍ଟାଲ ତୁଳା ଅମଳ ହେଉଛି । Cotton Ginning Mill ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀ ମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ ।