କଟକ(କେନ୍ଯୁଜ୍) : ଚୌଦ୍ବାର ଅଞ୍ଚଳରେ ୨୦୧୬ ମସିହା ଫେବୃଆରୀରେ ଘଟିଥିବା ବ୍ଲେଡ୍ରେ ଆକ୍ରମଣ କରିବା ଘଟଣାର ବିଚାର କରି କଟକ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ସହକାରୀ ଦୌରା ଜଜ୍ ଯାଜପୁର ମଙ୍ଗଳପୁର ଅଞ୍ଚଳର ପ୍ରଶାନ୍ତ ସାମଲକୁ ଦୁଇ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି।
ଅଦାଲତ ଆଇପିସିର ଦଫା ୩୨୪ରେ ପ୍ରଶାନ୍ତକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଘଟଣା ଦିନ ପ୍ରଶାନ୍ତ ଚୌଦ୍ବାର ଅଞ୍ଚଳରେ ସମ୍ପର୍କୀୟଙ୍କ ଘର ନିକଟରେ ପହଞ୍ଚି ପାଟିତୁଣ୍ଡ କରିଥିଲା। ପତ୍ନୀଙ୍କ ସଂପର୍କୀୟଙ୍କୁ ପ୍ରଶାନ୍ତ ଏକ ନୂଆ ବ୍ଲେଡ୍ ଦ୍ବାରା ଆକ୍ରମଣ କରି ତଣ୍ଟି କାଟିଦେବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା।
ଏ ନେଇ ଚୌଦ୍ବାରା ଥାନାରେ ୨୦୧୬ ଫେବ୍ରୁଆରି ୨୫ରେ ପ୍ରଶାନ୍ତଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୨୯୪, ୫୦୬, ୩୫୪, ୩୦୭ରେ ମାମଲା ରୁଜୁ ହୋଇଥିଲା। ଚାର୍ଜସିଟ ଦାଖଲ ପରେ ଅଦାଲତରେ ମାମଲା ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତାପସ କୁମାର ବାରିକ ଓ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ମାମଲା ପରିଚାଳନା କରୁଥିଲେ।