Below header

ଆର୍ଯ୍ୟନ୍‌ ଖାନ୍‌ କେସ୍‌ର ସାକ୍ଷୀ କେପି ଗୋସାବୀ ଗିରଫ, ଦୀର୍ଘ ଦିନ ହେଲା ଥିଲେ ଫେରାର

ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ମାମଲାର ଅନ୍ୟତମ ସାକ୍ଷୀ କେପି ଗୋସାବୀଙ୍କୁ ବାନ୍ଧିଛି ପୁଣେ ପୋଲିସ। କେପି ଗୋସାବୀ ଗତ କିଛି ଦିନ ହେଲା ଫେରାର ଥିଲେ। ମହାରାଷ୍ଟ୍ରର ପୁଣେଠାରେ ପୋଲିସ ତାଙ୍କୁ ଗିରଫ କରିଛି। ଗୋସାବୀଙ୍କ ବିରୋଧରେ ପୁଣେଠାରେ ଠକେଇ ମାମଲା ରୁଜୁ ହୋଇଥିଲା।

କେପି ଗୋସାବୀ ଗିରଫ ହେବା ପରେ ପୁଣେ ପୋଲିସ କହିଛି ଯେ ଗୋସାବୀ ସରେଣ୍ଡର କରିନଥିଲେ। ଆମେ ଇଣ୍ଟେଲିଜେଣ୍ଟ ଆଧାରରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛୁ। ୨୦୧୮ ଠକେଇ ମାମଲାରେ ଗୋସାବୀଙ୍କୁ ଗିରଫ କରିଛି ପୁଣେ ପୋଲିସ। ୩ ଦିନ ପୂର୍ବରୁ ପୋଲିସ ଉତ୍ତରପ୍ରଦେଶରେ ଗୋସାବୀଙ୍କୁ ଆତ୍ମସର୍ମପଣ କରିବାକୁ କହିଥିଲା। ୨୦୧୯ରେ ପୁଣେ ପୋଲିସ ତାଙ୍କୁ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା। ସେବେଠାରୁ ସେ ଫେରାର ଅଛନ୍ତି। କ୍ରୁଜ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଗିରଫ ଆର୍ଯ୍ୟନ୍‌ ଖାନଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ ଗୋସାବୀ। ଅକ୍ଟୋବର ୧୪ରେ ପୋଲିସ ତାଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା।

ଅନ୍ୟପଟେ ଗିରଫ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଗୋସାବୀ। ସେ କହିଛନ୍ତି, ପ୍ରଭାକର ସୈଲ ମିଛ କହିଛନ୍ତି। ମୋର, ପ୍ରଭାକର ଓ ତାଙ୍କ ଭାଇର CDR ରିପୋର୍ଟ ସହ ଚାଟ୍‌ ବିବରଣୀ ବାହାର କରିବାକୁ ଅନୁରୋଧ କରୁଛି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ କିମ୍ବା ବିରୋଧୀ ଦଳ ନେତା ମୋ ପାଇଁ ଠିଆ ହୁଅନ୍ତୁ। ମୁମ୍ବାଇ ପୋଲିସକୁ CDR ରିପୋର୍ଟ ରିଲିଜ କରିବାକୁ ଅନୁରୋଧ କରନ୍ତୁ। ଏହାପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଗୋସାବୀ।


ଅନ୍ୟପଟେ ଆଜି କୋର୍ଟରେ ପୁଣିଥରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ବେଲ୍‌ ଉପରେ ଶୁଣାଣି ହେବ ବୁଧବାର ଦିନ ଶୁଣାଣି ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏଣୁ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳିପାରିନଥିଲା। ଆଜି ଉକ୍ତ ଶୁଣାଣି ପୁଣିଥରେ ଅଧାରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ବମ୍ବେ ହାଇକୋର୍ଟରେ ଏବେ ଆର୍ଯ୍ୟନ୍‌ଙ୍କ ବେଲ୍‌ ଶୁଣାଣି ଚାଲିଛି। ଆର୍ଯ୍ୟନ୍‌ଙ୍କ ପକ୍ଷରୁ ପୂର୍ବତନ ଏଜି ମୁକୁଲ ରୋହତଗୀ କେସ୍‌ ଲଢ଼ୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.