ଆଳି ପୋଲିସର ଅଜବ ଆଇନ: ଗୋରୁଚାଲାଣକାରୀକୁ ଛାଡିଦେଇ ଅଭିଯୋଗକାରୀକୁ ବାନ୍ଧିଛି, ସାମାଜିକ କର୍ମୀ ସମେତ ୩ଜଣଙ୍କୁ ଗିରଫ କରିଛି
ଆଳି(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଂଚଳରେ ଗୋରୁ ଚାଲାଣକୁ ବିରୋଧ କରିବାରୁ ସାମାଜିକ କର୍ମୀ ଓ ସାମ୍ବାଦିକ ପୋଲିସ ଆକ୍ରୋଶର ଶିକାର ହୋଇଥିବାର ଅଭିଯୋଗ ହୋଇଛି। ରବିବାର ରାତି ସାଢେ ବାରଟା ସମୟରେ ଏକ ମିନି ଟ୍ରକରେ ରାତିଅଧିଆ ଗୋରୁ ଚାଲାଣ ହେଉଥିଲା। ଏହାକୁ ବିରୋଧ କରି ପୋଲିସ କାର୍ଯ୍ଯାନୁଷ୍ଠାନ ଦାବି କରୁଥିବା ୨ଜଣ ସାମାଜିକ କର୍ମୀ ଓ ଜଣେ ସାମ୍ବାଦିକଙ୍କୁ ଆଳି ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଗିରଫ ଯୁବକ ମାନେ ହେଉଛନ୍ତି ସାମାଜିକ କର୍ମୀ ଶୁଭାଶିଷ ଷଡଙ୍ଗୀ,ଜନୈକ ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ଯ ଓ ଅନ୍ଯଜଣେ ଯୁବକ ହେଉଛନ୍ତି ସଞ୍ଜୟ ବ୍ରହ୍ମା।
ସୂଚନା ଅନୁଯାୟୀ ରବିବାର ରାତିରେ ଗୋରୁ ବୋଝେଇ ଗାଡିକୁ ଆଳିର ଆଠକୋଣିଆ ଛକରେ ଅଟକାଇ ସାମାଜିକ କର୍ମୀ ଶୁଭାଶିଷ ଷଡଙ୍ଗୀ ପୋଲିସକୁ ଖବର ଦେଇଥିଲେ। ଜନୈକ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗୋରୁ ବୋଝେଇ ଗାଡି ପାର୍ ହୋଇଯିବାରୁ ସେମାନେ ଥାନାକୁ ଆସି ପ୍ରତିବାଦ କରିଥିଲେ। ପୋଲିସ ଥାନା ଭିତରେ ସେମାନଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରି ମାଡମାରି ମିଛ କେଶରେ ଗିରଫ କରି କୋର୍ଟ ଚାଲାଣ କରିଥିବାର ଅଭିଯୋଗ ହୋଇଛି। ହେଲେ ଗୋରୁ ବୋଝେଇ ଗାଡି ଅଟକ ଓ ଥାନା ଭିତରେ ଗୋ-ଚାଲାଣ ବିରୋଧୀଙ୍କ ପ୍ରତି ପୋଲିସର ଦୁର୍ବ୍ଯବହାରର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଅନ୍ଯପକ୍ଷରେ ଆଳିଥାନା ଅଧିନସ୍ଥ ପଦନପୁର ବସ୍ତିର ସେକ କଲାମଙ୍କ ଠାରୁ ଗତକାଲି ରାତିରେ ୫ ହଜାର ଟଙ୍କା ଲୁଟ୍ ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଥିବା ପଟାମୁଣ୍ଡାଇ ଏସଡିପିଓ କହିଛନ୍ତି ।
ପ୍ରକାଶଯୋଗ୍ୟ ଯେ ଆଳି ପୋଲିସର ତୋଗଲକୀ କାର୍ଯ୍ୟକଳାପର ଏଭଳି ଅନେକ ଉଦାହରଣ ରହିଛି । ଗତ ବର୍ଷ ମଧ୍ୟ ଭୁଇଁପୁରର ଏକ ଜାଗାବାଡ଼ି ମାମଲାରେ ଆଳି ପୋଲିସ ହସ୍ତକ୍ଷେପ କରି ଏକ ସ୍ଥିତିବାନ ଜମି ଉପରେ ଅନ୍ୟ ଜଣକୁ ଦଖଲ ଦେବା ପାଇଁ ବାରମ୍ବାର ବଳ ପ୍ରୟୋଗ କରିଥିଲା । ହେଲେ ଅଭିଯୋଗକାରୀ ଏ ସମ୍ପର୍କରେ ପୋଲିସ ଏସ୍ପି ଓ ଡିଜିଙ୍କୁ ଲେଖିବା ପରେ ଉପରିସ୍ଥ ଅଫିସରଙ୍କ ହସ୍ତକ୍ଷେପ ଯୋଗୁ ଚୁପ ହୋଇଥିଲା ।
ସେହିପରି ଭୁଇଁପୁରର ଏକ ମାଛ ଚୋରି ମାମଲାରେ ଚୋର ଓ ମାଛ ସହ ଜାଲ ଓ ମାଛ ନେବାକୁ ଆସିଥିବା ଅଟୋକୁ ଆଳି ଥାନାରେ ଦାଖଲ କରାଯାଇଥିବାବେଳେ ମଧ୍ୟ ପୋଲିସ କେସ ରୁଜୁ ନକରି ଅଭିଯୁକ୍ତକୁ ଛାଡିଦେଇଥିବା ନଜିର ରହିଛି । ଏମିତି ବେଆଇନ କାର୍ଯ୍ୟର ତାଲିକା ଅନେକ ରହିଛି । ଗୋଟିଏ ସ୍ଥାନରେ ପୋଲିସ ୩ ବର୍ଷରୁ ଅଧିକ ନରହିବା ନିୟମ ଥିଲେ ବି ଏଠାରେ ଏହା ପାଳନ କରାଯାଇନାହିଁ । ଫଳରେ ସମସ୍ତ ନୀତି ନିୟମ ଓ ଶୃଙ୍ଖଳା ଏଠାରେ ପାଣିରେ ପଡ଼ିଛି । ଆଳି ପୋଲିସର ଏଭଳି ତୋଗଲକୀ କାର୍ଯ୍ୟକଳାପ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଅଭିଯୋଗ ହୋଇଛି ।