ସମ୍ବଲପୁର(କେନ୍ୟୁଜ୍):ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ । ହଠାତ୍ ମଣ୍ଡପରେ ପହଞ୍ଚିଗଲେ ପ୍ରଥମ ପତ୍ନୀ । ଆଉ ତାପରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଗୁରୁପଡ଼ାର ଏକ କଲ୍ୟାଣ ମଣ୍ଡପରେ ଲୁଚି ଦ୍ୱିତୀୟ ବିବାହ କରୁଥିବା ବେଳେ ପହଞ୍ଚିଥିଲେ ପ୍ରଥମ ପତ୍ନୀ । ଦୁୁଇ ପିଲାଙ୍କୁ ସାଙ୍ଗରେ ଧରି ମଣ୍ଡପରେ ହଙ୍ଗାମା କରିଥିଲେ । ଫଳରେ ଅଧାରେ ଅଟକିଥିଲା ଦ୍ୱିତୀୟ ବିବାହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବର ସୁଜିତ ବାଗଙ୍କୁ ମଣ୍ଡପରୁ ଉଠାଇ ନେଇଥିଲା ।
ଅଭିଯୋଗ ହୋଇଛି ସୁଜିତ ୨୦୧୪ ମସିହା ମାର୍ଚ୍ଚ ୯ ତାରିଖରେ ବିନିକାରେ ରୀତିନୀତିରେ ଯଶୋଦାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଛୁଆ ଅଛନ୍ତି । ପରେ ଉଭୟ ଅଲଗା ହୋଇଥିଲେ । ଏବେ ସୁଜିତ ପ୍ରେମ ବିବାହ କରୁଥିବା ଖବର ପାଇଁ ମଣ୍ଡପରେ ପହଞ୍ଚିଥିଲେ ପ୍ରଥମ ପତ୍ନୀ । ସୁଜିତ କହିଛନ୍ତି, ଯଶୋଦାଙ୍କୁ ସେ ଡିଭୋସ୍ ଦେଇଥିଲେ ।
ଏମିତିକି ସୁଜିତ ଛାଡ଼ପତ୍ର ପାଇଁ କୋର୍ଟରେ ନିବେଦନ କରିଥିଲେ ଏବଂ ତାଙ୍କ କହିବା କଥା ତାଙ୍କୁ କୋର୍ଟ ଅନୁମତି ଦେଇଥିଲେ । ତେବେ ଏଥିରେ ପ୍ରଥମ ପତ୍ନୀଙ୍କ ସହମତି ନଥିଲା । ସେ ପେପରରେ ସ୍ୱାକ୍ଷର କରି ନାହାନ୍ତି । ତେଣୁ ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ କେମିତି ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ଅଭିଯୋଗ ଉଠିଲା । ଏହି ଗୋଳମାଳ ଭିତରେ ଶେଷକୁ ବାହାଘର ବନ୍ଦ ରହିଲା ।