Below header

ପୁଣିଥରେ ମହିଳାଙ୍କ ପାଇଁ ନୂଆ ନିୟମ ଆଣିଲା ତାଲିବାନ୍‌, ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ଦେଲା କଡ଼ା ନିର୍ଦ୍ଦେଶ

ଆଫଗାନିସ୍ତାନରେ ତାଲିବାନ୍‌ ଶାସନରେ ମହିଳାଙ୍କ ସ୍ଥିତି ଆଦୌ ଭଲ ନାହିଁ। ମହିଳାଙ୍କ ଉପରେ ପ୍ରଥମରୁ ହିଁ ଅନେକ ପ୍ରତିବନ୍ଧକ ରଖିଥିବା ତାଲିବାନ ଏବେ ଆଉ ଏକ ନିୟମ ଜାରି କରିଛି। ତାଲିବାନ୍‌ ଏବେ ଆଫଗାନିସ୍ତାନର ମହିଳାଙ୍କ ଲାଗି ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ଉପରେ ରୋକ୍‌ ଲଗାଇଛି।

ମିଡିଆ ରିପୋର୍ଟ ମୁତାବକ, ଆଫଗାନିସ୍ତାନରେ ତାଲିବାନ୍‌ ପକ୍ଷରୁ କାବୁଲ ଓ ଅନ୍ୟ ରାଜ୍ୟର ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାକୁ ମନା କରାଯାଇଛି। ଏବେ ଦେଶ ଗମ୍ଭୀର ଆର୍ଥିକ ଓ ବିନାଶକାରୀ ମାନବୀୟ ସଙ୍କଟ ଦେଇ ଗତି କରୁଥିବା ବେଳେ ମହିଳାଙ୍କ ପାଇଁ ଏଭଳି ନିୟମ ଜାରି କରିଛି ତାଲିବାନ୍‌। ଦେଶରେ ଏବେ ଖାଦ୍ୟ ଓ ଅନ୍ୟ ଜରୁରୀକାଳୀନ ସାମଗ୍ରୀର ଘୋର ସଙ୍କଟ ଦେଖା ଦେଇଛି। ଏଭଳି ସ୍ଥିତିରେ ମହିଳାଙ୍କୁ ଘରୁ ବାହାରିବାକୁ ବାରଣ କରିଛି ତାଲିବାନ୍‌। ମହିଳାମାନେ ଆଉ ଘରୁ ବାହାରିବାକୁ ଯେମିତି ଗାଡ଼ି ବ୍ୟବହାର ନ କରିବେ, ସେଥିପାଇଁ ତାଲିବାନ୍‌ ଏଭଳି କଠୋର ନିୟମ ଆଣିଛି।


ଆଫଗାନିସ୍ତାନରେ ତାଲିବାନ୍‌ କବ୍‌ଜା କରିବା ପୂର୍ବରୁ ଦେଶର କେତେକ ପ୍ରମୁଖ ସହରରେ ମହିଳାମାନେ ଡ୍ରାଇଭିଂ କରୁଥିଲେ। କିନ୍ତୁ ଏବେ ତାଲିବାନ୍‌ ମହିଳାଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ଜାରି କରିବାକୁ ମନା କରି ଦେଇଛି। ଫଳରେ ଦେଶରେ ଆଉ ମହିଳାଙ୍କୁ ଡ୍ରାଇଭିଂ କରିବାକୁ ଦିଆଯିବ ନାହିଁ। ଗତ ବର୍ଷ ଅଗଷ୍ଟରେ ଆଫଗାନ୍‌ ସରକାରଙ୍କ ପତନ ଓ ତାଲିବାନ୍‌ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ମାନବାଧିକାରକୁ ନେଇ ଅବସ୍ଥା ବିଗିଡ଼ିବାରେ ଲାଗିଛି।

ଏବେ ଦେଶରେ ଲଢ଼େଇ ସରିଯାଇଥିଲେ ମଧ୍ୟ ଲୋକଙ୍କୁ କିନ୍ତୁ ସାଧାରଣ ଭାବେ ବଞ୍ଚିବାକୁ ଦିଆଯାଉ ନାହିଁ। ଲୋକମାନଙ୍କର ମାନବାଧିକାର ସାଂଘାତିକ ଭାବେ ଉଲ୍ଲଂଘନ କରାଯାଇଥିବା ନେଇ ଖବର ନିୟମିତ ସାମ୍ନାକୁ ଆସୁଛି। ଖାସ୍‌ କରି ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦେଶରେ ମହିଳାଙ୍କୁ ଶୋଷଣ ଓ ଉତ୍ପୀଡ଼ନ ଏକ ସାଧାରଣ କଥା ହୋଇଯାଇଛି। ଏବେ ଆଫଗାନିସ୍ତାନରେ ଯିଏ ଯାହାକୁ ପାରୁଛି ଦୁର୍ବ୍ୟବହାର କରୁଛି। ମହିଳାଙ୍କୁ ବନ୍ଧୁକ ମୁନରେ ନିର୍ଯାତନା ଦେଉଛନ୍ତି ତାଲିବାନୀ। ଯିଏ କଥା ନ ମାନିଲା, ରାସ୍ତା ଉପରେ ତାକୁ ସିଧାସଳଖ ଗୁଳି କରୁଛନ୍ତି। ଆଉ ଯିଏ ବିରୋଧ କଲା ତା’ ପରିବାରକୁ ବି ରାସ୍ତାରୁ ହଟାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ଏହି ରାକ୍ଷସ। ଦେଶରେ ଏବେ ଭୟରେ ବଞ୍ଚୁଛନ୍ତି ଯୁବତୀ ଓ ମହିଳାମାନେ।

କିଛି ଦିନ ତଳେ ତାଲିବାନ୍‌ମାନେ ମହିଳାଙ୍କ ପୋଷାକ ଉପରେ ନିଷେଧାଜ୍ଞା ଜାରି କରିଥିଲେ। ମହିଳାଙ୍କୁ ପୂରା ପୋଷାକ ଓ ବୁର୍ଖା ପିନ୍ଧିବାକୁ ଘୋଷଣା ହୋଇଥିଲା। ଏବେ ପୁଣିଥରେ ମହିଳାଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି। ଏଣିକି ଆଉ ଆଫଗାନିସ୍ତାନର ମହିଳାମାନେ ଗାଡ଼ି ଡ୍ରାଇଭିଂ କରିପାରିବେ ନାହିଁ ବୋଲି ଜଣାଯାଇଛି।

Also Read: ବିଦେଶରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ୨ ଲକ୍ଷର ସ୍କଲାରସିପ୍‌ ଘୋଷଣା କଲା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ, ଆପଣ ବି କରିପାରିବେ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.