ମାରିଦେଲେ ଶାଶୁଘର ଲୋକେ; ଗୟାରେ ବିବାହିତ ଝିଅକୁ ମୁଖାଗ୍ନି ଦେଲା ମା’…ନିଜେ କଲା ଅନ୍ତିମ ସଂସ୍କାର
ବିହାରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ନିଜ ବିବାହିତ ଝିଅର ମୁଖାଗ୍ନି ଦେଇଛି। ଶାଶୁଘରେ ଝିଅକୁ ହତ୍ୟା ପରେ ମା’ ହିଁ ଝିଅର ଅନ୍ତିମ ସଂସ୍କାର କରିଛି। ଗୟାର ବିଷ୍ଣୁପଦ ଶ୍ମଶାନ ଘାଟରେ ମା’ ଦେଇଛି ମୁଖାଗ୍ନି। ଏହି ପୂରା ଦୃଶ୍ୟ ଦେଖି ଲୋକଙ୍କ ଆଖି ଛଳଛଳ ହୋଇଯାଇଛି।
ମିଳିଥିବା ସୂଚନା ମୁତାବକ, ମୃତା ମହିଳାଙ୍କ ନାମ ସପନା କୁମାରୀ (୩୦)। ମୃତଦେହ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରିବାକୁ ବାପଘର ଏବଂ ଶାଶୁଘର ଲୋକେ ଉଭୟେ ଦାବି କରିଥିଲେ। କିନ୍ତୁ ଅଞ୍ଚଳବାସୀଙ୍କ ହସ୍ତକ୍ଷେପ ପରେ ଶେଷରେ ବାପଘର ଲୋକ ହିଁ ତାଙ୍କ ଝିଅର ଅନ୍ତିମ ସଂସ୍କାର କରିଥିଲେ।
୬ ବର୍ଷ ତଳେ ହୋଇଥିଲା ବାହାଘର
ସପନା କୁମାରୀଙ୍କ ବିବାହ ୬ ବର୍ଷ ତଳେ ହେମନ୍ତ ଚୌଧୁରୀଙ୍କ ସହିତ ହୋଇଥିଲା। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଗତ ଦୁଇ ବର୍ଷ ହେବ ଭଲ ପଡ଼ୁ ନ ଥିଲା। କୌଣସି ନା କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗୁଥିଲା। ତେବେ ଦୁଇ ଦିନ ତଳେ ସପନାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କ ବେକ ଏବଂ ଶରୀରର କେତେକ ଜାଗାରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା।
ଏ ନେଇ ମୃତାଙ୍କ ମା’ ସାବିତ୍ରୀ ଦେବୀ ବିଷ୍ଣୁପଦ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଛି। ମୃତାଙ୍କ ସ୍ୱାମୀ ହେମନ୍ତ ଚୌଧୁରୀ, ନଣନ୍ଦ କାରୋ ଦେବୀ ଏବଂ ମଳାଶୁରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ସେମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ହେମନ୍ତ ଚୌଧୁରୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।