ରାଇରଙ୍ଗପୁର(କେନ୍ୟୁଜ୍): ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଓଡ଼ିଶାବାସୀ ମଧ୍ୟ ଗୌରବାନ୍ୱିତ । ସମସ୍ତ ଓଡିଶା ବାସୀଙ୍କ ଗୋଟିଏ ଲକ୍ଷ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତୁ। ସେଥିପାଇଁ ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦ୍ରୌପଦୀଙ୍କ ପାଇଁ ଏକଜୁଟ ହୋଇ ନିଜନିଜ ଦେବା ଦେବି ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି। ଆମ ଦ୍ରୌପଦୀ ଦିଦିଙ୍କୁ ଜିତାଇଦିଅନ୍ତୁ । ଆଦିବାସୀ ମାନେ ଜାହିରାରେ ପୂଜାର୍ଚନା କରୁଥିବା ବେଳେ ହିନ୍ଦୁ ଧର୍ମର ଲୋକେ ବିଭିନ୍ନ ମନ୍ଦିରରେ ପୂଜାର୍ଚନା କରୁଛନ୍ତି । ମୁସଲିମ ଲୋକେ ମଧ୍ୟ ଆଲ୍ଲାଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରୁଛନ୍ତି ଯେ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟର ଜିତନ୍ତୁ ।
ବିପୁଳ ଭୋଟରେ ବିଜୟ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବଡଦୁନ୍ଦୁ ଗ୍ରାମର ମାଜାରରେ ଏକତ୍ରିତ ହୋଇଥିଲେ ମୁସଲିମ ଭାଇ ମାନେ । ଅମୀର ସାହ ବାବା ରହମ ତୁଲ୍ଲା ଅଲେଇଙ୍କର ମଜାରରେ ଦ୍ରୌପଦୀଙ୍କ ବିଜୟ ପାଇଁ ଚାଦର ଚଢାଇଛନ୍ତି । ଚାଦର ଚଢାଇବା ପରେ ସାମୁହିକ ଦୁଆ ପ୍ରାର୍ଥନା କରିଥିଲେ ମୁସଲିମ ଭାଇ ମାନେ। ଦ୍ରୌପଦୀ ମୁର୍ମୁଙ୍କ ସମସ୍ତ ଧର୍ମର ଶୁଭେଛୁ ମାନେ ନିଜ ନିଜ ଠାକୁରଙ୍କୁ ଦିଦିଙ୍କ ବିଜୟ ପାଇଁ ଡାକୁଥିବା ବେଳେ ମନ୍ଦିର ଜାହିରା ମାଜାର ସବୁ ଆଡେ ଆଜି ଅଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା ।