ଯାଜପୁର (କେନ୍ୟୁଜ): ଆଇଏଲଏସ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡ଼ା. ଅଜୟ ପରିଡାଙ୍କ ଗୌହାଟୀରେ ପରଲୋକ ଘଟିଥିବା ଜଣାଯାଇଛି। ଅକାଳ ବିୟୋଗରେ ନିଜ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁର ଗାଁରେ ଶୋକର ଛାୟା ଖେଳିଯାଇଛି। କରୋନା ମହାମାରୀ ସମୟରେ ଓଡିଶାରେ କରୋନା ଭ୍ୟାରିଏଣ୍ଟକୁ ନେଇ ସଦାସର୍ବଦା ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥିଲେ ସ୍ୱର୍ଗତଃ ପରିଡା।
କୋଭିଡକୁ ନେଇ ଗବେଷଣା ଜାରି ରଖିଥିଲେ। ତେବେ ଗୌହଟିରେ ଏକ କନଫରେନ୍ସରେ ଯୋଗଦେବା ପାଇଁ ଯାଇଥିବା ସମୟରେ ସେଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ତାଙ୍କ ଜନ୍ମମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ସେ ଏକ ମାସ ପୂର୍ବରୁ ତାଙ୍କ ମାଙ୍କ ଶ୍ରଦ୍ଧା ଉତ୍ସବରେ ଯୋଗଦେବାକୁ ଘରକୁ ଆସିଥିଲେ।
ସେ ଯେତେବେଳେ ଗ୍ରାମକୁ ଆସନ୍ତି ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ସେ ଜଣେ ମେଧାବୀ ଛାତ୍ର, ମେଳାପୀ ଓ ମିଷ୍ଟଭାସି ବ୍ୟକ୍ତି ଥିଲେ ବୋଲି ସମ୍ପର୍କୀୟ ଓ ଗ୍ରାମବାସୀ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ ଅକାଳ ବିୟୋଗରେ ନିଜ ପୈତୃକ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ମରଶରୀର ଫେରିବା ବାଟକୁ ସମସ୍ତେ ଚାହିଁ ବସିଛନ୍ତି।