‘ରାମ ସେତୁ’ର ଦମ୍ଦାର ଟିଜର ରିଲିଜ୍; ଭିନ୍ନ ଲୁକ୍ରେ ନଜର ଆସିଲେ ଅକ୍ଷୟ କୁମାର; ଆକ୍ସନ ଓ ରୋମାଞ୍ଚରେ ଭରପୂର ରହିଛି ଫିଲ୍ମ
ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମ ୨୫ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି। ଏଥି ପୂର୍ବରୁ ଅଭିନେତା ସୋସିଆଲ ମିଡିଆରେ ଏହାର ପ୍ରଥମ ଝଲକ୍ ଫ୍ୟାନ୍ମାନଙ୍କୁ ଦେଖାଇଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ରାମ ସେତୁକୁ ବଞ୍ଚାଇବାର ଏକ ରୋମାଞ୍ଚକ ମିଶନରେ ଥିବାର ନଜର ଆସିବେ। ଏଥିପାଇଁ ତାଙ୍କ ହାତରେ ମାତ୍ର ୩ ଦିନର ସମୟ ଥିବ। ଏତେ କମ୍ ସମୟ ଭିତରେ ସେ ନିଜ ମିଶନକୁ ସଫଳ କରିବା ପାଇଁ କିଭଳି ଭାବେ ଆଗକୁ ବଢ଼ୁଛନ୍ତି ଏବଂ ଶେଷରେ କ’ଣ ହେଉଛି, ତାହା ଜାଣିବା ପାଇଁ ପୂରା ଫିଲ୍ମ ହିଁ ଦେଖିବାକୁ ପଡ଼ିବ।
ସେପଟେ ଟିଜର ବିଷୟରେ କଥା ହେବା ତ, ଏହା ରାମ ସେତୁର ଏକ ରହସ୍ୟମୟ ଦୁନିଆକୁ ଦେଖାଉଛି। ଏଥି ସହିତ ଅକ୍ଷୟ କୁମାରଙ୍କ ରୋମାଞ୍ଚକ ମିଶନ ସହିତ ପରିଚିତ କରାଉଛି। ଟିଜର ଶଙ୍ଖନାଦରୁ ଆରମ୍ଭ ହୋଇ ଜୟ ଶ୍ରୀରାମ ନାରାରେ ଶେଷ ହେଉଛି। ଏହି ଟିଜର ଦର୍ଶକମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିପାରେ, ଯାହାର ଜବାବ ପାଇବା ପାଇଁ ଲୋକେ ନିଶ୍ଚୟ ଆକର୍ଷିତ ହୋଇ ଫିଲ୍ମ ଦେଖିବାକୁ ସିନେମା ଘରକୁ ଯିବେ।
ଅକ୍ଷୟଙ୍କ ‘ରାମ ସେତୁ’ ଏକ ଆକ୍ସନ-ଆଡ୍ଭେଞ୍ଚର ଫିଲ୍ମ, ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଶର୍ମା। ଫିଲ୍ମର ନିର୍ମାତା ଅଛନ୍ତି ଅରୁଣା ଭାଟିଆ ଓ ବିକ୍ରମ ମାଲହୋତ୍ରା। ଏହା ପୂର୍ବରୁ ଅଭିଷେକ ଶର୍ମା ଅକ୍ଷୟଙ୍କ ଫିଲ୍ମ ‘ମଙ୍ଗଳ ମିଶନ’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମରେ ଅକ୍ଷୟଙ୍କ ସହ ଜ୍ୟାକ୍ଲିନ ଫର୍ଣ୍ଣାଡିସ୍, ନୁସରତ୍ ଭରୁଚା ଓ ସତ୍ୟା ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ଅକ୍ଷୟ ଜଣେ ଆର୍କିଓଲୋଜିଷ୍ଟ୍ ଚରିତ୍ରରେ ଦେଖାଯିବେ ଏବଂ ଏଥିପାଇଁ ସେ ନିଜ ଲୁକ୍ ମଧ୍ୟ ବହୁତ ପରିବର୍ତ୍ତନ କରିଛନ୍ତି। ‘ରାମ ସେତୁ’କୁ ନେଇ ଅକ୍ଷୟଙ୍କ ଫ୍ୟାନ୍ମାନେ ବହୁତ ଉତ୍ସାହିତ ଅଛନ୍ତି। ଟିଜର ଦେଖିବା ପରେ ଫିଲ୍ମ ଦେଖିବାର ଉତ୍ସାହ ଆହୁରି ବଢ଼ିଯାଇଛି।
View this post on Instagram
ଅକ୍ଷୟ କୁମାର ନିଜ ଇନ୍ଷ୍ଟାଗ୍ରାମରେ ‘ରାମ ସେତୁ’ର ପ୍ରଥମ ଝଲକ୍ ସେୟାର କରିଛନ୍ତି। ଏଥି ସହିତ ସେ କ୍ୟାପସନ ଲେଖିଛନ୍ତି, ‘ରାମ ସେତୁର ପ୍ରଥମ ଝଲକ୍…କେବଳ ଆପଣମାନଙ୍କ ପାଇଁ। ବହୁତ ଶ୍ରଦ୍ଧାର ସହିତ ଏହାକୁ ତିଆରି କରାଯାଇଛି। ଆଶା କରୁଛି କି, ଆପଣଙ୍କୁ ପସନ୍ଦ ଆସିବ। ନିଶ୍ଚୟ ଜଣାଇବେ’। ‘ରାମ ସେତୁ’କୁ ନେଇ ନିଜେ ଅକ୍ଷୟ ବି ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଦେଖା ଯିବେ। ଏହା ଚଳିତ ବର୍ଷ ଆସିଥିବା ତାଙ୍କର ପଞ୍ଚମ ଫିଲ୍ମ ହେବ। ଏହା ପୂର୍ବରୁ ରିଲିଜ୍ ହୋଇଥିବା ତାଙ୍କର ୪ଟି ଫିଲ୍ମ ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଅକ୍ଷୟଙ୍କର ପୂର୍ବ ଫିଲ୍ମ ‘ରକ୍ଷାବନ୍ଧନ’ ଥିଲା, ଯାହାକୁ ନେଇ ଅଭିନେତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଫିଲ୍ମର କାହାଣୀକୁ ଲୋକେ ଆଉଟ୍ଡେଟେଡ୍ ବୋଲି କହିଥିଲେ ଏବଂ ଫିଲ୍ମଟି ବୟକଟ୍ ଟ୍ରେଣ୍ଡ୍ର ସମ୍ମୁଖୀନ ହୋଇଥିଲା।