ଆସାମ ପୋଲିସର ‘ଲେଡି ସିଙ୍ଘମ୍‌’ ଜୁନ୍‌ମୋନି ରାଭାଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ, CID କରିବ ତଦନ୍ତ

ଦୁର୍ଘଟଣାରେ ଆଖି ବୁଜିଲେ ‘ଲେଡି ସିଙ୍ଘମ୍‌’। ୩୦ ବର୍ଷୀୟା ମହିଳା ସବ୍-ଇନ୍ସପେକ୍ଟର ଜୁନ୍‌ମୋନି ରାଭାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଆଉ ନାହାନ୍ତି ଆସାମ ପୋଲିସର ‘ଲେଡି ସିଙ୍ଘମ୍‌’ ଜୁନ୍‌ମୋନି ରାଭା। ୩୦ ବର୍ଷୀୟା ମହିଳା ସବ୍-ଇନ୍ସପେକ୍ଟର ଜୁନ୍‌ମୋନି ରାଭାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ସେ ନିଜ ବ୍ୟକ୍ତିଗତ କାର୍‌ରେ ଥିଲେ ଏବଂ ପୋଲିସ୍ ବର୍ଦ୍ଦି ପିନ୍ଧି ନ ଥିଲେ। ସାମ୍ନାରୁ ଆସୁଥିବା ଏକ ଟ୍ରକ୍‌ ଜୁନ୍‌ମୋନିଙ୍କ କାର୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। କାର୍‌ରେ ରାଭାଙ୍କ ବ୍ୟତୀତ ଆଉ କେହି ନ ଥିଲେ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ବିଷୟରେ ସୂଚନା ପାଇବା ପରେ ରାତି ପାଖାପାଖି ୨ଟା ୩୦ରେ ପୋଲିସ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ରାଭାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନା ନେଇଥିଲା, କିନ୍ତୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଜୀବନ ରକ୍ଷା ହୋଇପାରି ନ ଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଥିବା ବେଳେ ଡ୍ରାଇଭର କିନ୍ତୁ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛନ୍ତି। ସୂଚନା ରହିଛି ଯେ ରାଭାଙ୍କ କାର୍‌କୁ ଯେଉଁ ଟ୍ରକ୍‌ ଧକ୍କା ଦେଇଥିଲା, ତାହା ଉତ୍ତର ପ୍ରଦେଶରୁ ଆସୁଥିଲା।

କହି ରଖୁଛୁ ଯେ ଅପରାଧୀଙ୍କ ପ୍ରତି ନିଜର କଠୋର ଆଭିମୁଖ୍ୟ ପାଇଁ ଜୁନ୍‌ମୋନି ରାଭା ବେଶ୍‌ ଜଣାଶୁଣା ଥିଲେ। ଏହି କାରଣରୁ ତାଙ୍କୁ ‘ଲେଡି ସିଙ୍ଘମ୍‌’ ବା ଦବଙ୍ଗ୍‌ ପୋଲିସ ଅଧିକାରୀ ମଧ୍ୟ କୁହାଯାଉଥିଲା। କିନ୍ତୁ ଗତବର୍ଷ ଜୁନ୍‌ରେ ଭ୍ରଷ୍ଟାଚାର ଅଭିଯୋଗରେ ରାଭାଙ୍କୁ ତାଙ୍କ ପୂର୍ବତନ ପ୍ରେମିକାଙ୍କ ସହ ଗିରଫ କରାଯାଇଥିଲା।

ସେପଟେ ରାଭାଙ୍କ ପରିବାର ଲୋକେ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେମାନେ ଏହି ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ଘଟଣାକୁ ନେଇ ଆସାମ ଡିଜିପି ଜିପି ସିଂ କହିଛନ୍ତି, ପରିବାର ସହ ଅନେକ ସାମାଜିକ ସଂଗଠନର ଦାବି ଆଧାରରେ ଏହି ମାମଲାର ତଦନ୍ତ ଭାର ଆସାମ ସିଆଇଡିକୁ ହସ୍ତାନ୍ତର କରାଯାଇଛି। ରାଭାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.