Below header

ଯୌନ ଉତ୍ପୀଡ଼ନର ଫଟୋ ଏବଂ ଅଡିଓ-ଭିଡିଓ ପ୍ରମାଣ ଜମା କର, ୨ ମହିଳା କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍‌

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିବା ଦୁଇ ମହିଳା କୁସ୍ତିଯୋଦ୍ଧାଙ୍କଠାରୁ ଦିଲ୍ଲୀ ପୋଲିସ ପ୍ରମାଣ ମାଗିଛି।

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିବା ଦୁଇ ମହିଳା କୁସ୍ତିଯୋଦ୍ଧାଙ୍କଠାରୁ ଦିଲ୍ଲୀ ପୋଲିସ ପ୍ରମାଣ ମାଗିଛି। ପ୍ରମାଣ ଭାବେ ଘଟଣାର ଅଡିଓ, ଭିଡିଓ ଏବଂ ଫଟୋ ଦାଖଲ କରିବାକୁ ପୋଲିସ କହିଛି।

କହି ରଖୁଛୁ ଯେ ବ୍ରିଜଭୂଷଣ ନିଶ୍ୱାସ ଯାଞ୍ଚ କରିବା ବାହାନାରେ ସେମାନଙ୍କୁ ଅଶ୍ଳୀଳ ଢଙ୍ଗରେ ସ୍ପର୍ଶ କରିଥିବା ନେଇ ଦୁଇ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରିଥିଲେ। ପୋଲିସ ଏ ସମ୍ବନ୍ଧରେ ଜୁନ୍ ୫ରେ ଦଣ୍ଡ ପ୍ରକ୍ରିୟା ସଂହିତା (CrPC)ର ଧାରା ୯୧ ଅଧୀନରେ ଉଭୟ କୁସ୍ତିଯୋଦ୍ଧାଙ୍କୁ ନୋଟିସ୍ ପଠାଇଥିଲା ଏବଂ ସେମାନଙ୍କୁ ଦିନକ ମଧ୍ୟରେ ଜବାବ ଦେବାକୁ କହିଥିଲା।

ଏହା ବ୍ୟତୀତ ପୋଲିସ କୁସ୍ତିଯୋଦ୍ଧାମାନଙ୍କୁ ଘଟଣାର ତାରିଖ ଓ ସମୟ, WFI କାର୍ଯ୍ୟାଳୟରେ ବିତାଇଥିବା ସମୟ, ରୁମମେଟ୍ସ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସାକ୍ଷୀମାନଙ୍କ ନାମ ମଧ୍ୟ ଦେବାକୁ କହିଛି। ପୋଲିସ କୁସ୍ତିଯୋଦ୍ଧା ରହୁଥିବା ହୋଟେଲ ବିଷୟରେ ମଧ୍ୟ ସୂଚନା ମାଗିଛି।

ଏତଲାରେ ଜଣେ କୁସ୍ତିଯୋଦ୍ଧା ଅଭିଯୋଗ କରିଥିଲେ ଯେ ହୋଟେଲରେ ରାତ୍ରି ଭୋଜନ କରିବା ସମୟରେ ବ୍ରିଜଭୂଷଣ ତାଙ୍କୁ ଅଲଗା ଏକ ଟେବୁଲକୁ ଡାକିଥିଲେ ଏବଂ ବିନା ସହମତିରେ ୩ରୁ ୪ ଥର ଛାତିରୁ ପେଟ ପର୍ଯ୍ୟନ୍ତ ଛୁଇଁଥିଲେ। ସେହିପରି ଅନ୍ୟ ଜଣେ କୁସ୍ତିଯୋଦ୍ଧା ଅଭିଯୋଗ କରିଥିଲେ, ୨୦୧୮ରେ ବ୍ରିଜଭୂଷଣ ନିଶ୍ୱାସ ଯାଞ୍ଚ କରିବା ବାହାନାରେ ତାଙ୍କ ଜର୍ସି ଉଠାଇ ଛାତି ଏବଂ ପେଟକୁ ଛୁଇଁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.