Below header

ପାନ ଦୋକାନୀଙ୍କ ପ୍ରେମରେ ମହୁମାଛି, ଆଜି ଯାଏଁ କେବେବି କରିନାହାଁନ୍ତି କ୍ଷତି

ମହୁମାଛି ପୁଣି କାମୁଡିନାହାଁନ୍ତି କେମିତି । ହଁ ଆପଣ ଯାହା ଦେଖୁଛନ୍ତି ଏକଦମ୍ ଠିକ୍ ଦେଖୁଛନ୍ତି । ଏଠି ମହୁମାଛି କ୍ଷତି କରିବାକୁ ନୁହେଁ ବରଂ ପ୍ରେମ ବାଣ୍ଟିବାକୁ ଆସୁଛନ୍ତି ।

ସାଧାରଣତଃ ମହୁମାଛି ପ୍ରତି ଲୋକମାନଙ୍କର ଭୟ ରହିଥିଏ। ଏମିତି ବି ମହୁମାଛି ଆକ୍ରମଣ କଲେ ଲୋକେ ଗୁରୁତର ହୋଇଥାନ୍ତି । ହେଲେ ସେହି ମହୁମାଛି ଯେ ମଣିଷ ପ୍ରେମରେ ପଡ଼ିଯାଏ ତାହାର କିଛି ଦୃଶ୍ୟ ଆପଣମାନେ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି। କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ଗଣେଶ ଚନ୍ଦ୍ର ରାଏଙ୍କ ପାନ ଦୋକାନରେ ଏବେ ଜମୁଛି ହଜାର ହାଜର ସଂଖ୍ୟାର ମହୁମାଛଙ୍କ ମେଳି।ସକାଳେ ପାନ ଦୋକାନ ଖୋଲିବା ପୂର୍ବରୁ ମହୁମାଛି ଆସିଥାନ୍ତି ଆଉ ସୁସ୍ୱାଦ ଖାଦ୍ୟ ଖାଇଥାନ୍ତି। ସଂଧ୍ୟା ହେଲେ ପୁଣି ଉଡିଯାଇଥାନ୍ତି।

ଆପଣ ଦେଖିପାରୁଥିବେ ପାନ ଦୋକାନ ସାମ୍ନାରେ ହଜାର ହଜାର ସଂଖ୍ୟାର ମହୁମାଛି । ଆଉ ତାହାରି ଭିତରେ ଲୋକେ ଛିଡା ହୋଇ ପାନ ନେଉଛନ୍ତି। ଏତେ ସଂଖ୍ୟାର ମହୁମାଛି ଥିଲେ ମଧ୍ୟ ସେମାନେ କାହାରି କିଛି ବି କ୍ଷତି କରନ୍ତି ନାହିଁ। କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ଗଣେଶ ଚନ୍ଦ୍ର ରାଏଙ୍କ ପାନଦୋକାନର ଏ ଚିତ୍ର। ଦୋକାନ ଖୋଲିବା କ୍ଷଣି ଏହି ମହୁମାଛି ଗୁଡିକ ଧାଇଁ ଆସିଥାନ୍ତି ତାଙ୍କ ଦୋକାନକୁ। ଗଣେଶ ପ୍ରଥମେ ମହୁମାଛିଙ୍କୁ ଚେରି ଖାଇବାକୁ ଦେବା ପରେ ବ୍ୟବସାୟ ଆରମ୍ଭ କରିଥାନ୍ତି। ଟିକେ ଦୋକାନରୁ ଫୁରସତ ମିଳିଲେ ମହୁମାଛିଙ୍କ ସେବାରେ ଲାଗିପଡନ୍ତି।

ତେବେ ଏତେ ସଂଖ୍ୟାରେ ମହୁମାଛି ଦେଖି ଆପଣ ଭାବୁଥିବେ କଣ ଏ ମହୁମାଛିଙ୍କୁ ପାଳିଛନ୍ତି ନା ଆଜ୍ଞା ଏହାର କାହାଣି ବି ବହୁତ ନିଆରା । ରଜ ସମୟରେ ଯେତେବେଳେ ଗଣେଶ ରାଜପାନ ବିକ୍ରି କରୁଥିଲେ। ସେହି ସମୟରେ ବାହାରୁ କିଛି ମସଲା ଆଣିଥିଲେ ପାନ ପାଇଁ । ସେବେ ଠାରୁ ସେହି ମସଲାକୁ ଖାଇବାକୁ ମହୁମାଛି ଆସିଯାନ୍ତି । ପ୍ରଥମେ ତ ଅଳ୍ପ ସଂଖ୍ୟକ ମହୁମାଛି ଗୁଡିକ ଆସିବା ଆରମ୍ଭ କରିଥିଲେ। ହେଲେ ଏବେ ତାହା ହଜାର ହଜାର ସଂଖ୍ୟାରେ ପହଁଚିଛି।

ତେବେ ଗଣେଶ କୁହନ୍ତି ମହୁମାଛିଙ୍କୁ ପ୍ରତିଦିନ ତିନି ଟାଇମ ଖାଇବାକୁ ଦେବା ପାଇଁ ମତେ ଭଲ ଲାଗେ ଆଉ ଏହା ମୋ ସଉକ ।ଆଳି ଲୋକାପଡା ଗାଁର ବାସିନ୍ଦା ଗଣେଶ ରାଏ । ଆଳି ନୂଆବଜ଼ାରରେ ଦୀର୍ଘ ୩୫ବର୍ଷ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ତାଙ୍କ ପୁଅ ମଧ୍ୟ ସମୟ ସମୟ ନିଜ ବାପାଙ୍କୁ ଦୋକାନରେ ସାହାଯ୍ୟ କରିଥାନ୍ତି। ଗଣେଶ କେବଳ ଯେ, ମହୁମାଛିଙ୍କୁ ଆଦର କରନ୍ତି ତାହା ନୁହେଁ । ସେ ମଧ୍ୟ ଜଣେ ପଶୁ ପକ୍ଷୀ ପ୍ରେମୀ । ନିଜ ଘରେ ମଧ୍ୟ ଠେକୁଆ,ମୂଷା, ପାରା, ଆଦି ପଶୁ ପକ୍ଷୀଙ୍କୁ ମଧ୍ୟ ରଖିଛନ୍ତି । ତାହା ସହ ବିଭିନ୍ନ ସମୟରେ ପୌରାଣିକ ନାଟକ ଓ ଡ୍ରାମାରେ ନିଖୁଣ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ତେବେ ଆଳିର ଏହି ନିଆରା ମଣିଷକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.