ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବାବେଗପୂର୍ଣ୍ଣ ଚିଠି : ଜାଣନ୍ତୁ କଣ କହିଲେ କେନ୍ଦ୍ରମନ୍ତ୍ରୀ

ତାଙ୍କ ଉପରେ ରାଗ ରଖି ଓଡ଼ିଆ ଜାତି ଏବଂ ଓଡ଼ିଶାର ଆଗାମୀ ପିଢି ପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବାବେଗପୂର୍ଣ୍ଣ ଚିଠି । ତାଙ୍କ ଉପରେ ରାଗ ରଖି ଓଡ଼ିଆ ଜାତି ଏବଂ ଓଡ଼ିଶାର ଆଗାମୀ ପିଢି ପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ ପାଇଁ ସମୟ ଦେବାକୁ ସେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାକ୍ଷାତ ପାଇଁ ସମୟ ଦେଲେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବା ପାଇଁ କରିଥିବା ପ୍ରୟାସର ବିସ୍ତୃତ ସୂଚନା ଦେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ର ସମୂହରେ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିଥିବା ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ ବିକାଶ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ କାହାକୁ ଭେଟିବାକୁ ମନାକରିନାହାଁନ୍ତି । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେ। ଏନେଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.