ନୂଆଦିଲ୍ଲୀ: ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ବଢିଲା ସମସ୍ଯା। ପାଖାପାଖି ୫୦ଜଣ ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ଜମାରାଶି ସମ୍ପର୍କରେ ଭାରତକୁ ତଥ୍ୟ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସ୍ବିଜରଲାଣ୍ଡ କର୍ତ୍ତୃପକ୍ଷ । ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ଜମା ରଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରାୟତଃ ରିଅଲ ଇଷ୍ଟେଟ, ଆର୍ଥିକ ସେବା, ପ୍ରଯୁକ୍ତି, ଦୂରସଂଚରା ଏବଂ ପେଣ୍ଟ୍ସ, ଗୃହ ସାଜସଜ୍ଜା, ବୟନ ସାମଗ୍ରୀ, ଇଞ୍ଜିନିୟରିଂ ସାମଗ୍ରୀ, ଗହଣା ଏବଂ ମୂଲ୍ୟବାନ ପ୍ରସ୍ତର କ୍ଷେତ୍ରର ଉଦ୍ୟୋଗୀ ରହିଛନ୍ତି।
ତେବେ ଏ ନେଇ ସ୍ବିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି। ଏହି ମାମଲା ସହିତ ଜଡ଼ିତ ଅଧିକାରୀଙ୍କ କହିବାନୁଯାୟୀ ଗତ କିଛି ସପ୍ତାହ ମଧ୍ୟରେ ଅତିକମ୍ରେ ୫୦ ଜଣ ଭାରତୀୟଙ୍କୁ ନୋଟିସ ପଠାଯାଇଛି। ଭାରତ ସରକାରଙ୍କୁ ଗ୍ରାହକଙ୍କ ତଥ୍ୟ ପ୍ରଦାନ ପୂର୍ବରୁ ଭାରତୀୟମାନଙ୍କୁ ଆବେଦନ କରିବା ଲାଗି ସ୍ବିସ୍ ବ୍ୟାଙ୍କ ଶେଷ ସୁଯୋଗ ପ୍ରଦାନ କରିବାକୁ ଯାଇ ଏହି ନୋଟିସ୍ ପଠାଇଛି। ସ୍ବିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ସନ୍ଦିଗ୍ଧ ଭାରତୀୟଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ ପ୍ରକ୍ରିୟା ଜାରି ରହିଛି। ଗତ ବର୍ଷକ ମଧ୍ୟରେ ଭାରତକୁ ୧୦୦ରୁ ଅଧିକ ଭାରତୀୟଙ୍କ ଜମା ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଛି ସ୍ବିସ୍ ସରକାର ।
ସ୍ବିଜରଲାଣ୍ଡ ସରକାରଙ୍କ ନିୟମ ଅନୁଯାୟୀ ସ୍ବିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ବିଦେଶୀ ଗ୍ରାହକଙ୍କ ତଥ୍ୟ ପ୍ରଦାନ ପୂର୍ବରୁ ସେମାନଙ୍କୁ ଆବେଦନ କରିବା ଲାଗି ୩୦ ଦିନ ସମୟ ଦିଆଯାଇଥାଏ। କେତେକ କ୍ଷେତ୍ରରେ ମାତ୍ର ୧୦ ଦିନ ସମୟ ଦିଆଯାଇଥାଏ। କେତେକ ଭାରତୀୟଙ୍କ ପୂରା ନାମ ପ୍ରକାଶ କରାଯାଇଥିବାବେଳେ ଆଉ କେତେକ ଭାରତୀୟଙ୍କ ନାମର ପ୍ରାରମ୍ଭ ଅକ୍ଷର ଏବଂ ଜନ୍ମ ତାରିଖ ଆଦି ଉଲ୍ଲେଖ କରାଯାଇଥାଏ।
ନିକଟରେ ପୂରା ନାମ ପ୍ରକାଶ ପାଇଥିବା ଭାରତୀୟଙ୍କ ମଧ୍ୟରେ କ୍ରି ଲଳିତାବେନ ଚିମନଭାଇ ପଟେଲ, ସଞ୍ଜୟ ଡାଲମିଆଁ, କଳ୍ପେଶଭାଇ ପଟେଲ ମହେନ୍ଦ୍ରଭାଇ, ଅଜୟ କୁମାର, ଦିନେଶ କୁମାର ହିମତସିଙ୍ଗକା, ରତନ ସିଂହ ଚୌଧୁରୀ ପଙ୍କଜ କୁମାର ସରାଓଗି, ଅନିଲ ଭରଦ୍ବାଜ, ଥରାନି ରେଣୁ ଟିକମଦାସ, ମହେଶ ଟିକମଦାସ ଥରାନି,ଷ୍ଣ ଭଗବାନ ରାମଚନ୍ଦ, ପୋତଲୁରି ରାଜମୋହନ ରାଓ, କଳ୍ପେଶ ହର୍ଷଦ କିନାରିୱାଲା, କୁଲଦୀପ ସିଂହ ଧିଙ୍ଗଡ଼ା, ଭାସ୍କରନ୍ ନଳିନୀ, କାଥୋଟିଆ ରାଜେଶ କୁମାର,ସବାନି ବିଜୟ କହ୍ନେୟାଲାଲ ଏବଂ ଭାସ୍କରନ୍ ଠାପୁର ରହିଛନ୍ତି।