ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ୨୫ ପ୍ରତିଶତ ଯାଏଁ ରିହାତିରେ ଏବେ ମିଳିବ ଟିକେଟ୍

ନୂଆଦିଲ୍ଲୀ: ଯାତ୍ରୀମାନେ ସଡ଼କପଥ ଏବଂ ବିମାନଯାତ୍ରାରେ ଶସ୍ତାରେ ଯାତ୍ରା କରି ଅଧିକ ଲାଭ ପାଉଥିବାରୁ ଧୀରେ ଧୀରେ ଟ୍ରେନ୍ରେ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବାକୁ ନୂଆ ପନ୍ଥା ଆପଣାଇବାକୁ ଯୋଜନା କରୁଛି। ରେଳବିଭାଗ ଏବେ ଶତାବ୍ଦୀ ଏକ୍ସପ୍ରେସ୍, ତେଜସ୍ ଏକ୍ସପ୍ରେସ ଏବଂ ଗତିମାନ ଏକ୍ସପ୍ରେସ ଭଳି ଦ୍ରୁତଗାମୀ ଟ୍ରେନ୍ର ଟିକେଟ୍ ଦରକୁ ୨୫ ପ୍ରତିଶତ ଯାଏଁ କମାଇବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଫଳରେ ଅଧିକରୁ ଅଧିକ ଲୋକ ଟ୍ରେନ୍ରେ ଯିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ମଙ୍ଗଳବାର ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ଏହି ସୁବିଧା ଚେନ୍ନାଇ ସେଣ୍ଟାଲ- ମହୀଶୂର ଶତାବ୍ଦୀ ଏକ୍ସପ୍ରେସ୍, ଅହମ୍ମଦାବାଦ- ମୁମ୍ବାଇ ଶତାବ୍ଦୀ ଏକ୍ସପ୍ରେସ ଏବଂ ନ୍ୟୁ ଜଲପାଇଗୁଡ଼ି-ହାଓ୍ଵଡ଼ା ଶତାବ୍ଦୀ ଏକ୍ସପ୍ରେସ ବ୍ୟତୀତ ଅନ୍ୟ ସମସ୍ତ ଏସି ବଗି, ଏଗଜିକ୍ୟୁଟିଭ୍ ଚେୟାର ବଗିରେ ଲାଗୁ ହେବ। ଏହି ରିହାତି ବନ୍ଦେ ଭାରତ ଏକ୍ସପ୍ରେସ୍ରେ ମଧ୍ୟ ଲାଗୁ ହେବ। ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଜିଏସ୍ଟି, ଆରକ୍ଷଣ ଶୁଳ୍କ, ସୁପରଫାଷ୍ଟ ଶୁଳ୍କ ଏବଂ ଅନ୍ୟ ଶୁଳ୍କ ଅଲଗା ଲାଗୁ କରାଯିବ। ଯେଉଁ ଟ୍ରେନ୍ରେ ଗତବର୍ଷ ୫ଠ ପ୍ରତିଶତରୁ କମ୍ ଟିକେଟ୍ ବିକ୍ରି ହୋଇଥିଲା ସେଥିରେ ଏହି ସୁବିଧା ଉପଲବ୍ଧ ହେବ। ବିଭାଗର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା କେତେକ ନିର୍ଦ୍ଦିଷ୍ଟ ଟ୍ରେନ୍ରେ ଏହି ନିୟମ ଲାଗୁ ହେବ।
ଏହାସହ ପଢ଼ନ୍ତୁ: ଚଳନ୍ତା ଟ୍ରାଫିକ୍ ରେ ପ୍ରିୱେଡିଙ୍ଗ୍ ଫଟୋସୁଟ୍, ୟୁନିଫର୍ମରେ ଭାବିପତ୍ନୀଙ୍କ ଠାରୁ ଲାଞ୍ଚ ନେଲେ ପୋଲିସ କର୍ମଚାରୀ
ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ, ରିହାତି ଦର ନିର୍ଦ୍ଧାରଣ କରିବା ବେଳେ ଯାତ୍ରାର ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯିବ। ବାର୍ଷିକ, ଅର୍ଦ୍ଧବାର୍ଷିକ, ମାସିକ ଏବଂ ସାପ୍ତାହିକ ଆଧାରରେ ଏହି ରିହାତି ଉପଲବ୍ଧ ହେବ। ତେବେ ଏହି ନିୟମ ଲାଗୁ ହେଲା ବେଳେ ଅନ୍ୟ କୌଣସି ନିୟମର ସୁବିଧା ମିଳିପାରିବନି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେପ୍ଟେମ୍ବର ୩ଠ ତାରିଖ ମଧ୍ୟରେ ସମସ୍ତ ରେଲେଓ୍ଵ ଜୋନ୍ କେଉଁ ଟ୍ରେନ୍ରେ ଟିକେଟ୍ ବିକ୍ରି କମିଛି ତାହାର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୫ ପ୍ରତିଶତ ରିହାତି ନିୟମ ଲାଗୁ ହେବାର ୪ ମାସ ପରେ ଜୋନ୍ ପକ୍ଷରୁ ବିଭାଗ ନିକଟରେ ରିପୋର୍ଟ ଦାଖଲ କରାଯିବ। ସେଥିରୁ କେତେ ପ୍ରତିଶତ ଟିକେଟ୍ ବିକ୍ରି ବୃଦ୍ଧି ହୋଇଛି ଜଣାପଡ଼ିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।