ଆମ ଓଡ଼ିଶାରେ ଜଣେ ସୁସ୍ଥ ହେଲେ ଓ ଆଉ ଜଣେ ପଜେଟିଭ୍‌ ବାହାରିଲେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜଣେ ସୁସ୍ଥ ହେଲେ ଓ ଆଉ ଜଣେ ଆକ୍ରାନ୍ତ ବାହାରିଲେ । ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ପୁଣି ୪ ଜଣରେ ପହଞ୍ଚିଛି ।
କରୋନା ଆକ୍ରାନ୍ତ ଏହି ପଞ୍ଚମ ବ୍ୟକ୍ତି ଜଣକର ବୟସ ୬୦ ବର୍ଷ । ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଘର ଭୁବନେଶ୍ୱର ସୂର୍ଯ୍ୟନଗରରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି । ବ୍ୟକ୍ତି ଜଣଙ୍କ ଏକାଧିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ତେବେ ସେ କିଭଳି ଭାବେ କୋଭିଡ-୧୯ରେ ଆକ୍ରାନ୍ତ ହେଲେ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ଗତକାଲି ବିଳମ୍ବିତ ରାତିରେ ଏହି ପଞ୍ଚମ ବ୍ୟକ୍ତିଙ୍କ ସମ୍ବନ୍ଧରେ ଟ୍ଵିଟ୍‌ କରାଯାଇଥିଲା ।

ତେବେ ତା ପୂର୍ବରୁ ଦ୍ୱିତୀୟ ଆକ୍ରାନ୍ତଙ୍କ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ଟ୍ଵିଟ୍‌ କରି ସେ ସୁସ୍ଥ ହୋଇଥିବା ଖବର ଦେଇଥିଲେ । ଦ୍ୱିତୀୟ ବ୍ୟକ୍ତି ଜଣକ ଏମ୍‌ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ବୟସ ୧୯ ବର୍ଷ । ତାଙ୍କ ନମୂନା ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଦୁଇ ଥର ତାଙ୍କ ନମୁନା ନେଗେଟିଭ୍‌ ଆସିଥିଲା । ତେଣୁ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ମଙ୍ଗଳବାର ସୁଦ୍ଧା ୬୧୦ ଜଣଙ୍କର ନମୂନା ପରୀକ୍ଷା କରାଯାଇ ସାରିଥିଲା । ଗତକାଲି ଆର୍‌ଏମ୍‌ଆରସିରେ ୨୯୦ ଜଣ, ଏମ୍‌ସ ୫୩ ଜଣଙ୍କର ଏବଂ କଟକ ଏସ୍‌ସିବିରେ ୧୧ ଜଣଙ୍କର ପରୀକ୍ଷା କରାଯାଇଥିଲା । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୯୦୦ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୫ ଜଣଙ୍କର ପଜେଟିଭ୍‌ ଆସିଛି ।
ସେହିପରି ଦିଲ୍ଲୀ ଜମାତ ନିଜାମୁଦ୍ଦିନ ଯାଇଥିବା ରାଜ୍ୟର ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିରେ ୭ ଜଣ ବିଦେଶୀ ଅଛନ୍ତି । ସମସ୍ତଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସେମାନଙ୍କ ନମୂନା କରୀକ୍ଷା ପାଇଁ ପଠା ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.