Below header

ଅପହଞ୍ଚ ବିକାଶ: ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳ ଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ

ଅପହଞ୍ଚ ବିକାଶ । ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ । ଏ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ବରିପାଳ ପଞ୍ଚାୟତ ନୂଆବରିପାଳ ମାଦିଳିଆ ସାହି କଥା ।

ଆନନ୍ଦପୁର(କେନ୍ୟୁଜ): ଅପହଞ୍ଚ ବିକାଶ । ରାସ୍ତା, ବିଦ୍ୟୁତ, ଶିକ୍ଷା, ଏବଂ ପାନୀୟ ଜଳଭଳି ଉତ୍କଟ ସମସ୍ୟା ଭିତରେ ଜିଉଁଛନ୍ତି ଦୁର୍ବିସହ ଜୀବନ । ଏ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ବରିପାଳ ପଞ୍ଚାୟତ ନୂଆବରିପାଳ ମାଦିଳିଆ ସାହି କଥା । ଏଠାକାର ଲୋକେ ଏଯାଏ ପାଣି, ରାସ୍ତା ଓ ବିଦ୍ୟୁତ୍ ପରି ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ବେଳେ ଚୁଆପାଣି ପିଇ ଲୋକେ ଶୋଷ ମେଣ୍ଟାଉଛନ୍ତି । ଅନେକ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ବି ହେଉଛନ୍ତି ।

ମାଦିଳିଆସାହିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି । ସମସ୍ତ ପରିବାର ଅନୁସୂଚିତ ଜନଜାତି ବର୍ଗର । ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଆଜି ପର୍ଯ୍ୟନ୍ତ ସାହିକୁ ରାସ୍ତା ନିର୍ମାଣ ହୋଇନଥିବାରୁ ପାହାଡ଼ିଆ ରାସ୍ତା ଓ ବିଲହିଡ଼ରେ ଲୋକେ ଯାତାୟାତ କରୁଛନ୍ତି । ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ସାହିରେ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ । ବାଇକ୍ କିମ୍ବା ଖଟିଆରେ ତିନି କିଲୋମିଟର ବୋହି ରୋଗୀକୁ ଆଣିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଉଛି। ବହୁ କଷ୍ଟରେ ସ୍କୁଲ ଯିବାକୁ ପଡ଼ୁଛି ।

ସାହିବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ନଳକୂପଟିଏ ମଧ୍ୟ ଖୋଳାଯାଇ ନାହିଁ । ଗ୍ରାମବାସୀ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଚୁଆର ଗୋଳିଆ ପାଣି ବ୍ୟବହାର କରି ଲୋକେ ଅନେକ ସମୟରେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରଖର ଖରା ଯୋଗୁ ଚୁଆ ପାଣି ଶୁଖିଯିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଥର ନିର୍ବାଚନ ସମୟରେ ନେତା ମାନେ ଆସନ୍ତି ଆଉ ପ୍ରତିଶୃତି ଦେଇଯାନ୍ତି ହେଲେ ତା ପରେ ଆଉ ସେମାନଙ୍କର ଦେଖା ମିଳେନି । ଚଳିତ ଥର ସମସ୍ୟାର ସମାଧାନ ନହେଲେ ଭୋଟ ଦେବେନି ବୋଲି କହୁଛନ୍ତି ଗ୍ରାମବାସୀ ।

ସେହିପରି ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇନି । ଲୋକେ ଅନ୍ଧାରରେ ରହୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଛି । ବିଦ୍ୟୁତ୍ ନଥିବା ରୁ ରାତିରେ ବନ୍ୟ ଜନ୍ତୁଙ୍କ ଭୟ ରହୁଛି । ଜଙ୍ଗଲ ରାସ୍ତା ଦେଇ ବହୁ କଷ୍ଟରେ ୮ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟରୁ ରାସନ୍ ସାମଗ୍ରୀ ଆଣିବାକୁ ପଡ଼ିଥାଏ । ପ୍ରତି ନିର୍ବାଚନ ରେ ନେତା ଭୋଟ ମାଗିବା ଆସି ସମସ୍ତ ପ୍ରତିଶୃତି ଦେଇ ଯାଆନ୍ତି କିନ୍ତୁ ସମସ୍ୟାର ସମାଧାନ କରନ୍ତି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟ ପକ୍ଷରେ ରାସ୍ତା ନିର୍ମାଣରେ ଜଙ୍ଗଲ ବିଭାଗ ବାଧକ ସାଜିଛି ଏବଂ ପାନୀୟ ଜଳର ସୁବିଧା ଶୀଘ୍ର କରାଯିବ ବୋଲି ସରପଞ୍ଚ କହିଛନ୍ତି । ମୌଳିକ ସୁବିଧାର ସମସ୍ୟା ଦୂର ନହେଲେ ଭୋଟ ବର୍ଜନର ଚେତାବନୀ ଦେଉଥିବା ଗ୍ରାମବାସୀଙ୍କ ସାଧାରଣ ସମସ୍ୟାର ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.