ବିଶ୍ୱରେ ବଢ଼ୁଛି କରୋନା ସଂକ୍ରମଣ : ଆମେରିକାର ସ୍ଥିତି ଉଦବେଗଜନକ, ଚିନ୍ତା ବଢ଼ାଉଛି ଡେଲ୍‌ଟା ଭାରିଆଣ୍ଟ

ନୂଆଦିଲ୍ଲୀ : ଚିନ୍ତା ବଢ଼ାଉଛି ଡେଲ୍‌ଟା ଭାରିଆଣ୍ଟ । ଭାରତରେ ଦୈନିକ ମାମଲା ସ୍ଥିର ରହୁଥିବା ବେଳେ ବିଶ୍ୱର ଅନେକ ରାଷ୍ଟ୍ରରେ ମାମଲା ବଢ଼ୁଛି । ଆମେରିକାରେ ସ୍ଥିତି ହୋଇଛି ଭୟଙ୍କର । ଲକ୍ଷେ ଉପରେ ରହୁଛି ଦୈନିକ ସଂକ୍ରମଣ। ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ଉଦବେଗଜନକ ଭାବେ ବଢୁଛି। ବିଳମ୍ବିତ ଜୁନ୍ରେ ଆମେରିକାର ଦୈନିକ ସଂକ୍ରମଣ ୧୧ହଜାର ରହୁଥିଲା। ଏବେ ଦୈନିକ ସଂକ୍ରମଣ ହାରାହରି ୧ଲକ୍ଷ ୭ହଜାର ରହୁଛି। ଶୁକ୍ରବାର ୭ ଲକ୍ଷ ୫୦ ହଜାର ଟପିଛି ସାପ୍ତାହିକ ମାମଲା ।

ଗତ ଜାନୁଆରୀରେ ଦୈନିକ ହାରାହାରି ସଂକ୍ରମଣ ଅଢେଇ ଲକ୍ଷରେ ପହଞ୍ଚିଥିଲା। ମାମଲା ଜୁନ୍ରେ ଖସିଥିବାବେଳେ ୬ସପ୍ତାହ ପରେ ପୁଣି ସଂକ୍ରମଣ ବଢି ୧ଲକ୍ଷ ଟପିଛି। ଆମେରିକାରେ ୭୦ପ୍ରତିଶତ ଲୋକ ଟିକା ନେଇଥିଲେ ସୁଦ୍ଧା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି। ଟିକା ନେଇନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ଅଧିକ ମାମଲାର କାରଣ ପାଲଟିଛି ଡେଲ୍ଟା ଭାରିଆଣ୍ଟ। ଏହା ଅଧିକ ଘାତକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରୁଛନ୍ତି। ଆମେରିକାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

covid america
pc: CNBC

ସେହିପରି ଭାରତରେ ମଧ୍ୟ ୪୦ ହଜାର ପାଖାପାଖି ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୯ ହଜାର ୭୦ ନୂଆ ସଂକ୍ରମିତ । ଏହି ୨୪ ଘଣ୍ଟାରେ ୪୯୧ ଜୀବନ ନେଇଛି ମହାମାରୀ । ୫ ରାଜ୍ୟରେ ଦେଶର ଦୈନିକ ମାମଲାର ୮୧ ପ୍ରତିଶତ ଚିହ୍ନଟ । ୫୨.୧୩ ପ୍ରତିଶତ ମାମଲା ପାଇଁ କେବଳ କେରଳ ଦାୟୀ । ଗତ ୨୪ ଘଣ୍ଟାରେ କେରଳ ପଞ୍ଜିକୃତ କରିଛି ୨୦ ହଜାର ୩୬୭ ମାମଲା । ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଉଚ୍ଚ ରହୁଛି ଦୈନିକ ସଂକ୍ରମଣ । ଦେଶରେ ଦୈନିକ ପଜିଟିଭିଟି ହାର ରହିଛି ୨.୨୭ ପ୍ରତିଶତ ।
ସଂକ୍ରମଣ କମୁନଥିବାରୁ ୫ ରାଜ୍ୟରେ କଟକଣା ନବୀକରଣ ହୋଇଛି ।

ତାମିଲାନାଡ଼ୁରେ ଲକଡାଉନ୍ ଆଉ ୨ ସପ୍ତାହ ବଢ଼ାଇ ଦିଆଯାଇଛି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଲକଡାଉନ୍ ରହିବ । ସବୁ ବ୍ୟାବସାୟିକ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଥର୍ମାଲ ସ୍କ୍ରିନିଂ ଓ ସାନିଟେସନ୍କୁ ବାଧ୍ୟତାମୂଳକ କରାଯାଇଛି । କେରଳରେ ବ୍ୟାବସାୟିକ ପ୍ରତିଷ୍ଠାନକୁ ସମସ୍ତଙ୍କୁ ପ୍ରବେଶ ମନା । ଗୋଟିଏ ଡୋଜ୍ ଟିକା ନେଇଥିଲେ କିମ୍ବା ପୂର୍ବ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ଅନୁମତି ମିଳିବ । କର୍ଣ୍ଣାଟକରେ କେରଳ ଫେରନ୍ତାଙ୍କ ଉପରେ କଟକଣା ଲାଗିଛି ।

ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ସହ ଅଗଷ୍ଟ ୧୬ ଯାଏଁ ୧୪୪ ଧାରା ଜାରି ହୋଇଛି । ମହାରାଷ୍ଟ୍ରରେ ଲେବଲ-୩ କଟକଣାକୁ ବଳବତ୍ତର ରଖାଯାଇଛି । ଧାର୍ମିକ ସ୍ଥଳ, ସିନେମା ହଲ୍ ମଲ୍ଟି ପ୍ଲେକ୍ସ ଓ ଥିଏଟର ବନ୍ଦ ରହିବ । ରାତି ୯ ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରଖାଯାଇଛି ।

Leave A Reply

Your email address will not be published.