Below header

କରୋନା ଭୟରେ ହିଂସ୍ରଜନ୍ତୁ ଭରା ଜଙ୍ଗଲ ଭିତରେ ନିଜକୁ ଗଛ ଉପରେ କ୍ୱାରେନଟାଇନ କଲେ ପ୍ରବାସୀ ଶ୍ରମିକ, ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

ମାରାତ୍ମକ କରୋନା କବଳରେ ସାରା ବିଶ୍ୱ ଆସି ସାରିଥିବା ବେଳେ ଏହି ଲୋକମାନଙ୍କୁ ସତର୍କ କରାଇବା ପାଇଁ ସରକାର ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି । ନିଜ ଘରୁ ନବାହାରିବା ପାଇଁ ବାରମ୍ବାର ଲୋକମାନଙ୍କୁ ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଲୋକ ଏବେବି ନିଜ ଅଭ୍ୟାସରୁ ବାଦ୍ ପଡିନାହାନ୍ତି । ତେବେ ଏହା ମଧ୍ୟରେ କୋଲକାତାର ୭ ଜଣ ଲୋକ ସମାଜ ପାଇଁ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏଠାରେ ଚେନ୍ନାଇରୁ ଫେରିଥିବା ୭ ଜଣ ପ୍ରବାସୀ ଶ୍ରମିକ ନିଜକୁ ଗଛ ଉପରେ କ୍ୱାରେନଟାଇନ କରିଛନ୍ତି । କାରଣ ଘର ଭିତରକୁ ଗଲେ ତାଙ୍କ ପରିବାର ପାଇଁ ବିପଦ ସୃଷ୍ଟି ହୋଇପାରେ ଭାବି ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁଯାୟୀ କୋଲକାତାର ଅଯୋଧ୍ୟା ପାହାଡ଼ସ୍ଥିତ ବଳରାମପୁର ଅଞ୍ଚଳକୁ ଚେନ୍ନାଇରେ ରହୁଥିବା ୭ ଜଣ ପ୍ରବାସୀ ଶ୍ରମିକ ଗତ ଶନିବାର ଦିନ ଟ୍ରେନ୍ ଦ୍ଵାରା ଆସି ପହଞ୍ଚିଥିଲେ । ସେମାନଙ୍କ ମେଡିକାଲ ଯାଞ୍ଚ ପରେ ଡାକ୍ତର୍ ତାଙ୍କୁ ୧୪ ଦିନ କ୍ୱାରେନଟାଇନରେ ରହିବାକୁ କହିଥିଲେ । ତେବେ ଗୋଟିଏ ଘର ଭିତରେ ପୁରା ପରିବାର ରହୁଥିବାରୁ ସେମାନେ ଘରକୁ ନଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପରିକି ସେମାନେ ଗାଁ ଭିତରେ ମଧ୍ଯ ପ୍ରବେଶ କରିନଥିଲେ ।

ଗାଁ ନିକଟରେ ରହି ନିଜର କିଛି ବନ୍ଧୁମାନଙ୍କୁ ଯୋଗାଯୋଗ କରିଥିଲେ ଏବଂ କିଛି କାଠ ସହିତ ମଶାରୀର ବନ୍ଦୋବସ୍ତ କରିବାକୁ କହିଥିଲେ । ଯାହାଦ୍ୱାରା ସେମାନେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିପାରିବେ । ତେବେ ଉକ୍ତ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ଭୟ ଥିବାରୁ ସେମାନେ ଗଛ ଉପରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ଜଙ୍ଗଲରେ ଅଧିକାଂଶ ବାଘ, ଭାଲୁ, ଗଧିଆ ଇତ୍ୟାଦି ଦେଖାଯାଆନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ରାତିରେ ଗ୍ରାମବାସୀମାନେ ଧନୁଶର ଓ ତୀର ଧରି ତାଙ୍କୁ ଜଗି ରୁହନ୍ତି । କେବଳ ସେତିକି ନୁହେଁ ଶ୍ରମିକ ମାନଙ୍କ କହିବା ଅନୁଯାୟୀ ସେମାନେ ଏତେ ସଚେତନ ଯେ ପରିବାର ଲୋକେ ସେମାନଙ୍କ ପାଇଁ ଖାଇବା ନେଇ ଆସିଲେ ତାଙ୍କୁ ତଳେ ରଖି ଚାଲିଯିବା ପାଇଁ କହିଥାନ୍ତି ଏବଂ ଖାଇସାରି ନିଜ ବାସନକୁ ଭଲଭାବେ ସଫା କରି ଦେଇଥାନ୍ତି । ତେବେ ବଳରାମପୁର ଜିଲ୍ଲାଧିକାରୀଙ୍କ କହିବା ଅନୁଯାୟୀ ଏହି ସାତ ଜଣ ଲୋକ ପ୍ରକୃତରେ ସାରା ଦୁନିଆ ପାଇଁ ଏକ ଉଦାହରଣ ଏବଂ ପ୍ରଶାସନ ତରଫରୁ କିପରି ସେମାନଙ୍କୁ ସାହାଯ୍ୟ କରାଯାଇପାରିବ ସେନେଇ ଆମେ ଚିନ୍ତା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.