Below header

ସୁନ୍ଦର ମେଢ଼ରେ ଶୋଭା ପାଉଛନ୍ତି ମା’ ଧନଦାତ୍ରୀ, ୧୦ ଦିନ ଦର୍ଶନ ପରେ ମା’ ନେବେ ଭକ୍ତଙ୍କଠୁ ମେଲାଣି

ଅନୁଗୁଳରେ ଧୁମ୍ ଧାମରେ ଚାଲିଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ପୂଜା ପାଉଛନ୍ତି ଧନଦାତ୍ରୀ।

ଅନୁଗୁଳରେ ଧୁମ୍ ଧାମରେ ଚାଲିଛି ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା। ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ପୂଜା ପାଉଛନ୍ତି ଧନଦାତ୍ରୀ। ଭଳିକି ଭଳି ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ସଜା ମନ ମହୁଛି ଦର୍ଶକଙ୍କର । ପ୍ରତ୍ୟକ ଦିନ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି। ଏଥର କେବଳ ସହରରେ ୩୫ଟି ମଣ୍ଡପରେ ପୂଜା ପାଉଛନ୍ତି ମା ଲକ୍ଷ୍ମୀ।

କୁମାର ପୂର୍ଣ୍ଣିମା ପାହାନ୍ତିଆରୁ ଧନ ଦାତ୍ରୀ ମା ଲକ୍ଷ୍ମୀଙ୍କ ବିଧି ଅନୁସାରେ ଆରମ୍ଭ ହୋଇଛି ପୂଜାର୍ଚନା । ସେଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପୂର୍ଣ୍ଣିମା ବିଳମ୍ବିତ ରାତିରେ ମାଙ୍କ କଲଶ ଲାଗି କରାଯାଇ ଜଳ ସ୍ଥାପନ କରା ଯାଇଥିଲା । ସବୁ ପୂଜା ମଣ୍ଡପର କର୍ମକର୍ତାମାନେ ସମୟ ଅନୁସାରେ ସବୁ କିଛି ସମ୍ପନ୍ନ କରିଥିଲେ ।

ଏଥର ବସଷ୍ଟାଣ୍ଡ, ଲକ୍ଷ୍ମୀବଜାର, ବଜାରଛକ, ସଂଜୀବନି ମାର୍କେଟ, ଶାନ୍ତି ବଜାର, ଡେଲି ମାର୍କେଟ, ନନଭେଜ ମାର୍କେଟ, ହରିମହୁରୀ ଛକ, ଅମଲାପଡା, ଶିକ୍ଷକପଡା ଆଦି ବଜାର ମାନଙ୍କରେ ୩୫ଟି ମଣ୍ଡପ ଅନୁଷ୍ଠିତ ହୋଇଛି। ବଜାରଛକରେ ଏଥର କୋଣାର୍କ ମନ୍ଦିର ଦୃଶ୍ୟକୁ ପ୍ରତିଫଳିତ କରୁଥିବା ବେଳେ ବସଷ୍ଟାଣ୍ଡରେ ସ୍ୱର୍ଣ୍ଣ ମହଲ, କାଞ୍ଚନ ବଜାରରେ ସୁଦୃଶ୍ୟ ତୋରଣ ଏମିତି ଅନେକ ପ୍ରକାର ତୋରଣ ମନ ମହୁଛି । ସହର ସାରା ଅତ୍ୟାଧୁନିକ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁଛି। ସମସ୍ତେ କିଛିନା କିଛି ନୂଆ କରିବାକୁ ଯୋଜନା କରିଛନ୍ତି। ଏଥର ଦର୍ଶକ ଲକ୍ଷ୍ମୀ ପୂଜାକୁ ମନ ଭରି ଉପଭୋଗ କରୁଛନ୍ତି ।

ଚଳିତ ବର୍ଷ ଅନୁଗୁଳ ସହରରେ ୩୫ଟି ପୂଜା ମଣ୍ଡପ ଅନୁଷ୍ଠିତ ହୋଇଛି । ଏହାଛଡା ବଜାର ସାରା ବିଭିନ୍ନ ଉପକରଣ ଦୋକାନ ପଡିଛି। ଉଠା ଦୋକାନ ଗୁଡିକରେ କିଣାବିକା ପାଇଁ ଅସଂଖ୍ୟ ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟର ପସରା ବୁଲାବୁଲି କରୁଥିବା ଦର୍ଶକଙ୍କୁ ଆହୁରି ଆକର୍ଷିତ କରୁଛି। ଦଶହରା ପଡ଼ିଆରେ ମେଳା ଲାଗିଛି। ଭଳିକି ଭଳି ଦୋଳିର ମଜା ନେଉଛନ୍ତି ଦର୍ଶକ। ଶହ ଶହ ଦୋକାନରେ ଗାଁ ଗହଳରୁ ଆସିଥିବା ଲୋକେ କିଣାବିକା କରୁଛନ୍ତି। ତେଣୁ କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ସମ୍ପନ୍ନ ହେବ ସେଥିପାଇଁ କେନ୍ଦ୍ରୀୟ ପୂଜା କମିଟି ଏବଂ ପୋଲିସ ମଧ୍ୟରେ ବୈଠକ କରାଯାଇ ଯୋଜନା ପ୍ରସ୍ତୁତ କରା ଯାଇଛି ।

ଚଳିତ ବର୍ଷ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡ଼ ହେବାର ଆଶଙ୍କା ଥିବାରୁ ଶାନ୍ତି ଶୃଙ୍ଗଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାଛଡା ପୂଜା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ସ୍ଵଛତା, ପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରା ଯାଇଛି। କେବଳ ଅନୁଗୁଳ ସହର ନୁହେଁ ଆଖ ପାଖ ଅଞ୍ଚଳରେ ମଧ୍ୟ ବେସ ଧୁମ ଧାମରେ ପୂଜା ହୁଏ। ଦେଖିବାକୁ ଗଲେ ଛେଣ୍ଡିପଦା, ପାଲଲହଡ଼ା, କାଣ୍ଡସର, ଆଠମଲ୍ଲିକ ଆଦି ସ୍ଥାନରେ ମଧ୍ୟ ଶତାଧିକ ପୂଜା ମଣ୍ଡପରେ ମା ଲକ୍ଷ୍ମୀ ପୂଜା ପାଉଛନ୍ତି।

ଜିଲାବାସୀ ଅପେକ୍ଷା କରିଥାନ୍ତି ଲକ୍ଷ୍ମୀପୂଜାକୁ। ୧୦ ଦିନ ମନ ଭରି ଉପଭୋଗ କରନ୍ତି। ବିଭିନ୍ନ ପ୍ରକାର ଦୋକାନ ବଜାର ଲାଗେ। କେତେ କଣ ଜିନିଷ କିଣି ନିଅନ୍ତି। ମିନା ବଜାର, ଦୋଳିର ମଜା ନିଅନ୍ତି। ଏଥର ମଧ୍ୟ ପାଗ ଅନୁକୂଳ ରହୁଥିବାରୁ ଆଗକୁ ନିଶ୍ଚିତ ଭାବେ ଆହୁରି ଭିଡ଼ ହେବାର ଆଶଙ୍କା ରହିଛି ।ତେବେ ଆସନ୍ତା ୮ ରେ ମାଙ୍କର ମେଲାଣି ଉତ୍ସବ ଅନୁଷ୍ଠିତ ହେବ ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.