ଇରାନ୍ର ନିଶାମୁକ୍ତି କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ
ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁ ୨୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁ ୨୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇରାନ୍ର ସରକାରୀ ମିଡିଆ ଏହି ସୂଚନା ଦେଇଛି।
ସରକାରୀ ଟିଭି ଚ୍ୟାନେଲ କହିଛି ଯେ ଦେଶର ରାଜଧାନୀ ତେହେରାନଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ଭୋର୍ ସମୟରେ ଏହି ଘରୋଇ ନିଶାମୁକ୍ତି କେନ୍ଦ୍ରରେ ନିଆଁ ଲାଗିଥିଲା। ସୂଚନା ମୁତାବକ, ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ତେବେ କେନ୍ଦ୍ରରେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।
ସୁରକ୍ଷା ମାନଦଣ୍ଡ ପାଳନ କରା ନ ଯିବା, ପୁରୁଣା ଭିତ୍ତିଭୂମି ଏବଂ ଜରୁରୀ ସେବାର ଅଭାବ ଯୋଗୁ ଇରାନରେ ଏଭଳି ଦୁର୍ଘଟଣା ସାଧାରଣ। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମାଲିକାନାରେ ଥିବା ଏକ କାର ବ୍ୟାଟେରୀ କାରଖାନାରେ ନିଆଁ ଲାଗିଯାଇଥିଲା। ବହୁ ସଂଖ୍ୟକ ଲୋକ ଏଥିରେ ଜଳିଯାଇଥିଲେ। ଏହିପରି ଅଗଷ୍ଟରେ ତେହେରାନର ଗ୍ରାଣ୍ଡ ବଜାରରେ ଅଗ୍ନିକାଣ୍ଡ ଘଟିଥିଲା। ୨୦୧୭ରେ ୧୫ ମହଲା ପ୍ଲାସ୍କୋ ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁ ୧୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।