ଲଙ୍କାପୋଡ଼ି ଯାତ୍ରାର ଗଣ୍ତାବଧ ଉତ୍ସବରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ
ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଗଣ୍ତାବଧ ଉତ୍ସବ । ପାରମ୍ପରିକ ରୀତିନୀତିରେ ଏହି ଉତ୍ସବ ପାଳନ କରାଯାଇଛି । ଗଣ୍ତାବଧ କାର୍ଯ୍ୟକ୍ରମ ଏକ ସୁନ୍ଦର ଉପାଖ୍ୟାନ ସୂର୍ଯ୍ୟବଂଶର ପ୍ରଥା ଅନୁଯାୟୀ, ବିବାହ ପରେ ପିତୃଶ୍ରାଦ୍ଧ ଦିନ ଯୁବରାଜ ଓ ରାଜକୁମାରମାନେ ଗଣ୍ତାବଧ କରି ସେମାନଙ୍କ ବୀରତ୍ବ ପୂର୍ବପୁରୁଷଙ୍କୁ ପ୍ରଦର୍ଶନ କରିବାର ବିଧି ରହିଛି ।

ଦଶପଲ୍ଲା(କେନ୍ୟୁଜ୍): ଦଶପଲ୍ଲାର ଲଙ୍କାପୋଡ଼ି ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଗଣ୍ତାବଧ ଉତ୍ସବ । ପାରମ୍ପରିକ ରୀତିନୀତିରେ ଏହି ଉତ୍ସବ ପାଳନ କରାଯାଇଛି । ଗଣ୍ତାବଧ କାର୍ଯ୍ୟକ୍ରମ ଏକ ସୁନ୍ଦର ଉପାଖ୍ୟାନ ସୂର୍ଯ୍ୟବଂଶର ପ୍ରଥା ଅନୁଯାୟୀ, ବିବାହ ପରେ ପିତୃଶ୍ରାଦ୍ଧ ଦିନ ଯୁବରାଜ ଓ ରାଜକୁମାରମାନେ ଗଣ୍ତାବଧ କରି ସେମାନଙ୍କ ବୀରତ୍ବ ପୂର୍ବପୁରୁଷଙ୍କୁ ପ୍ରଦର୍ଶନ କରିବାର ବିଧି ରହିଛି । ଏଣୁ ଏଠାରେ ମଧ୍ୟ ଶ୍ରୀରାମ ଆପଣାର ଭାଇ ଓ ଚତୁରଙ୍ଗ ସେନା ସହିତ ବିଶାଳ ପଟୁଆର ନେଇ ଗମନ କରନ୍ତି । ଏହା ମୁଖ୍ୟ ମଞ୍ଚଠାରୁ ପ୍ରାୟ ୪ କିମି ଦୂର ଦୁର୍ଗା ବଜାରସ୍ଥିତ ନେତାଜୀ ମଇଦାନ ମଞ୍ଚରେ ଅନୁଷ୍ଠିତ ହୋଇଥାଏ ।
ବିଭିନ୍ନ ପ୍ରକାର ବାଜା, ରୋଷଣି, ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଏହି ଦୃଶ୍ୟ ଅତୀବ ଚିତାକର୍ଷକ । ସେହି ମଞ୍ଚରେ ଶ୍ରୀରାମ ମୃଗୟା ସମୟରେ ଆପଣା ସେନାଠାରୁ ଦୂରେଇ ଯାଆନ୍ତି । ସେଠାରେ ଶବର ରାଜା ଗୁହକ ସହ ତାଙ୍କର ମିତ୍ରତା ହୁଏ । ଶବର ରାଜାଙ୍କ ଆତିଥ୍ୟ ଓ ଶବର- ଶବରଣୀଙ୍କ ନାଚରେ ପ୍ରଭୁ ଶ୍ରୀରାମ ନିମଗ୍ନ ହୋଇଯାଆନ୍ତି । ଶେଷରେ ପୁଣି ସେନା ସହ ମିଳନ ହୋଇ ଅଯୋଧ୍ୟା ପ୍ରତ୍ୟାଗମନ କରନ୍ତି।ଯେଉଁ ପର୍ବ ଅତୀବ ସୁନ୍ଦର ଓ ଚିତ୍ତାକର୍ଷକ ଏହି ଉପଲକ୍ଷେ ମହାବୀର କ୍ଷେତ୍ରର ପ୍ରଭୁ ମହାବୀରଙ୍କ ମନ୍ଦିର ସମ୍ମୁଖରୁ ଏକ ବିଶାଳ ପଟୁଆର ନେତାଜୀ ମଇଦାନଠାରେ ପହଞ୍ଚିଥିଲା ।
ବାଜା, ବାଣ ରୋଷଣି ସାଙ୍ଗକୁ ଘୋଡ଼ାନାଚ ସହ ବିବିଧ ଆକର୍ଷଣୀୟ ପଟୁଆରରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ୍ ହୋଇଥିଲେ। ପଟୁଆର ପହଞ୍ଚିବା ପରେ ଲୀଳା ଅଭିନୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷରେ ଆତସବାଜି ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ପୂନମ ପ୍ରିୟଦର୍ଶିନୀ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।