ଚିଠି ଲେଖିଲେ କେଜ୍ରିଓ୍ଵାଲ, ‘ମୁଁ ପ୍ରତିଦିନ ଇନ୍‌ସୁଲିନ ମାଗୁଛି, ରାଜନୈତିକ ଚାପରେ ମିଛ କହିଛନ୍ତି ତିହାର ପ୍ରଶାସନ’

ସିଏମ୍‌ କେଜ୍ରିୱାଲ ଚିଠିରେ ଲେଖିଛନ୍ତି, ‘ଖବରକାଗଜରେ ମୁଁ ଆପଣଙ୍କ ବୟାନ ପଢ଼ିଲି । ଏହି ବୟାନ ସମ୍ପୂର୍ଣ୍ଣ ଭୁଲ୍‌ । ଆପଣଙ୍କ ମିଥ୍ୟା ବୟାନ ପଢ଼ି ମୁଁ ଅତ୍ୟନ୍ତ ଦୁଃଖିତ’ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି । ଆମ୍‌ ଆଦ୍‌ମୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ସିଏମ୍‌ କେଜ୍ରିୱାଲ ଚିଠିରେ ଲେଖିଛନ୍ତି, ‘ଖବରକାଗଜରେ ମୁଁ ଆପଣଙ୍କ ବୟାନ ପଢ଼ିଲି । ଏହି ବୟାନ ସମ୍ପୂର୍ଣ୍ଣ ଭୁଲ୍‌ । ଆପଣଙ୍କ ମିଥ୍ୟା ବୟାନ ପଢ଼ି ମୁଁ ଅତ୍ୟନ୍ତ ଦୁଃଖିତ’ ।

ତିହାର ପ୍ରଶାସନର ପ୍ରଥମ ବିବୃତ୍ତି ଥିଲା ଅରବିନ୍ଦ କେଜ୍ରିୱାଲ ଇନ୍‌ସୁଲିନ ପ୍ରସଙ୍ଗ କେବେ ବି ଉଠାଇ ନାହାନ୍ତି । କେଜ୍ରିଓ୍ଵାଲ ଅଭିଯୋଗ ଆଣିଛନ୍ତି ଯେ ‘ଏହା ସମ୍ପୂର୍ଣ୍ଣ ମିଥ୍ୟା । ମୁଁ କ୍ରମାଗତ ୧୦ ଦିନ ହେବ ଇନସୁଲିନ୍ ପ୍ରସଙ୍ଗ ଉଠାଉଛି । ଦିନରେ ଅନେକ ବାର ଉଠାଉଛି । ଯେତେବେଳେ ବି କେହି ଡାକ୍ତର ମୋତେ ଦେଖା କରିବାକୁ ଆସିଥିଲେ, ମୁଁ ତାଙ୍କୁ କହିଥିଲି ଯେ ମୋର ସୁଗାର ଲେବଲ୍‌ ବହୁତ ଅଧିକ ରହିଛି’ ।

‘ମୁଁ ଗ୍ଲୁକୋ-ମିଟରର ରିଡିଂ ଦେଖାଇ କହିଥିଲି, ଦିନକୁ ୩ ଥର ପିକ୍‌ ଆସୁଛି ଏବଂ ସୁଗାର ଲେବଲ୍‌ ୨୫୦ରୁ ୩୨୦ ମଧ୍ୟରେ ରହୁଛି । ଫାଷ୍ଟିଙ୍ଗ୍‌ ବେଳେ ସୁଗାର ଲେବଲ୍‌ ୧୬୦ରୁ ୨୦୦ ମଧ୍ୟରେ ରହୁଛି । ପ୍ରତିଦିନ ମୁଁ ଇନସୁଲିନ୍ ମାଗୁଛି । ତେବେ ଆପଣ ଏହି ମିଥ୍ୟା ବିବୃତ୍ତି କିପରି ଦେଇପାରୁଛନ୍ତି ଯେ କେଜ୍ରିୱାଲ ଇନସୁଲିନ୍ ପ୍ରସଙ୍ଗ କେବେ ଉଠାଇ ନାହାନ୍ତି’?

କହି ରଖୁଛୁ, ତିହାର ପ୍ରଶାସନର ଦ୍ୱିତୀୟ ବିବୃତ୍ତି ଥିଲା, ଏମ୍ସ ଡାକ୍ତର ନିଶ୍ଚିତ କରିଛନ୍ତି ଯେ ଚିନ୍ତା କରିବାର କିଛି ନାହିଁ । ଏହାର ଜବାବରେ କେଜ୍ରିୱାଲ କହିଛନ୍ତି, ‘ଏହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା । ଏମ୍ସ ଡାକ୍ତର ଏପରି କୌଣସି ଆଶ୍ୱସନା ଦେଇନାହାନ୍ତି । ସେ ସୁଗାର ଲେବଲ ଓ ମୋ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ ଏବଂ କହିଥିଲେ କି, ତଥ୍ୟ ବିଶ୍ଳେଷଣ କରିବା ପରେ ମତାମତ ଦେବେ’ ।

ସିଏମ୍‌ କେଜ୍ରିଓ୍ଵାଲ ତିହାର ଜେଲ ପ୍ରଶାସନ ଉଦ୍ଦେଶ୍ୟରେ କହିଛନ୍ତି, ‘ମୁଁ ଅତ୍ୟନ୍ତ ଦୁଃଖିତ ଯେ ଆପଣ ରାଜନୈତିକ ଚାପରେ ଆସି ମିଥ୍ୟା ଏବଂ ଭୁଲ ବୟାନ ଦେଇଛନ୍ତି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.