Below header

ବର୍ଷା ପିଟିସନ୍‌ରେ କହିଛନ୍ତି ସାଥୀ ହୋଇ ରହିବାକୁ ରାଜି, କ୍ଷତି ପୂରଣ ଦେଲେ ବି ରାଜି

କଟକ (କେ ନ୍ୟୁଜ୍‌) : ଶୁଣାଣି ଘୁଞ୍ଚିଲା ଅନୁଭବ ଓ ବର୍ଷାଙ୍କ ମାମଲାର । କଟକ ଏସ୍‌ଡିଜେଏମ୍ କୋର୍ଟରେ ବର୍ଷା ଦାଖଲ କରିଥିବା ପିଟିସନ୍ ଉପରେ ଶୁଣାଣି ଆସନ୍ତା ଅକଟୋବର ୧୨ ତାରିଖରେ କରାଯିବ । ସେହିପରି ତାଙ୍କ ପକ୍ଷରୁ ଫ୍ୟାମିଲୀ କୋର୍ଟରେ ଦାଖଲ ହୋଇଥିବା ଅନ୍ୟ ପିଟିସନ୍‌ର ଶୁଣାଣି ଅକଟୋବର ୧୦ରେ କରାଯିବ । ଏପଟେ ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ପଟିଆଲା ହାଉସ୍ ଫ୍ୟାମିଲୀ କୋର୍ଟରେ ଛାଡ଼ପତ୍ର ପାଇଁ ଦାଖଲ ପିଟିସନ୍‌ର ଶୁଣାଣି କରାଯିବ ଅକଟୋବର ୧୦ ତାରିଖରେ ।
ଓଡ଼ିଆ ସିନେ ଜଗତର ଦୁଇ ସୁପରଷ୍ଟାର ଅଭିନେତାଙ୍କ ବାସ୍ତବ ଜୀବନର ଝଡ଼ ଏବେ ଗଣମାଧ୍ୟମ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚି ସବୁଠି ଚର୍ଚ୍ଚା ହେଉଛି ।

ପରଦାର ଦୁଇ ସୁପରହିଟ୍ ଯୋଡ଼ି ଭିତରେ କାହିଁକି ଏମିତି ହେଲା ? କଣ ଏହା ପଛର କାରଣ ? ପ୍ରକୃତରେ ଦୋଷ କାହାର ? ଏମତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଚାଲିଛି ସମସ୍ତଙ୍କ ଭିତରେ । ଏବେ କିନ୍ତୁ କୋର୍ଟରେ ତାରିଖ ଗଡ଼ିବା ଆରମ୍ଭ ହୋଇଛି । ଯାହା କେବେ ଛିଣ୍ଡିବ ସେକଥା କହିବା ମୁସ୍କିଲ । ହେଲେ ଏସବୁ ଭିତରେ ଆଉ ଗୋଟିଏ କଥା ପଦାକୁ ଆସୁଛି । ଅନୁଭବ ପ୍ରଥମେ ପିଟିସନ୍ ଦାଖଲ କରିଛନ୍ତି, ତାହା ପୁଣି ଛାଡ଼ପତ୍ର ପାଇଁ । ତେବେ ବର୍ଷାଙ୍କ ଉଭୟ ପିଟିସନ୍‌ରେ ଛାଡ଼ପତ୍ର କଥା ନାହିଁ । ତଥାପି ଏକଥା ସ୍ପଷ୍ଟ ହେଉଛି ଯେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଉଛି ମୋତେ ପତ୍ନୀର ମର‌୍ୟ୍ୟାଦା ଦେଇ ସାଥୀ ହୋଇ ରୁହ । ଅନ୍ୟଟି ହେଉଛି ‘ମୁଁ ଯେଉଁ କ୍ଷତିପୂରଣ ଦାବି କରିଛି ତାକୁ ଦେଇ ମୋଠୁ ଅଲଗା ହୋଇଯାଅ’ ।

ଗତକାଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଏବଂ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ ମଧ୍ୟରେ ଗଣମାଧ୍ୟମରେ ଯୁକ୍ତିତର୍କ ଚାଲିଥିଲା । ସେଥିରୁ ଅନୁଭବ ଯେ ଆଉ ବର୍ଷାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ସେକଥା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ବର୍ଷା ଫ୍ୟାମିଲୀ କୋର୍ଟରେ ଯେଉଁ ପିଟିସନ୍ ଦାଖଲ କରିଛନ୍ତି ସେଥିରେ ସେ ପୁଣି ସାଥୀ ହୋଇ ପାରିବାରିକ ଜୀବନ ଜୀଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ଅନୁଭବଙ୍କ ବିରୋଧରେ ଆଣିଥିବା ସଂଙ୍ଗୀନ ଅଭିଯୋଗକୁ ମଧ୍ୟ କ୍ଷମା କରି ତାଙ୍କ ସହ ରହିବାକୁ ରାଜି ବୋଲି ଜଣାଇଛନ୍ତି ।

ଏହି ଆଇନ୍‌ର ଲଢ଼େଇ ତ ହୁଏତ ଅନେକ ଦିନ ଚାଲିପାରେ । ହେଲେ ମାମଲାଗୁଡ଼ିକର ଭାଗ୍ୟ କଣ ହେବ ଏବଂ କେତେ ଦିନ ଗଡ଼ିବ ସେ କଥା କହିହେବ ନାହିଁ । ତେଣୁ ଦେଖିବାର କଥା ଏହି ସେଲିବ୍ରିଟି ଦମ୍ପତି ନିଜ ନିଜ ଜୀବନକୁ ସୁଖୀ କରିବାକୁ କି ପଦକ୍ଷେପ ନେଉଛନ୍ତି ? ଏକାଠି ରହିବାକୁ ନା ଅଲଗା ହେବାକୁ ନିଷ୍ପତ୍ତି ନେଉଛନ୍ତି ? ନା ସହମତିରେ କୋର୍ଟ ବାହାରେ କିଛି ବୁଝାମଣା ହେଉଛି ? ଆଉ ଯଦି ଦୁଇଟି ଯାକ ବିକଳ୍ପରେ ଅନୁଭବ ରାଜି ନହୁଅନ୍ତି ତେବେ କଣ ହେବ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.